ଭାଙ୍ଗିଗଲା ବ୍ଲେଡ୍‌, ବନ୍ୟା ପାଣିରେ ଅବତରଣ କଲା ବାୟୁସେନା ହେଲିକପ୍ଟର

add-all

ବିହାରର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକାଇବାକୁ ଯାଇଥିବା ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ବିପଜ୍ଜନକ ଭାବେ ବନ୍ୟା ପାଣିରେ ଅବତରଣ କରିବାକୁ ବାଧ୍ୟ ହୋଇଛି। ତେବେ ସେଥିରେ ଥିବା ଭାରତୀୟ ବାୟୁ ସେନାର ଦୁଇ ଅଫିସରଙ୍କ ସମେତ ୪ କର୍ମଚାରୀ ସୁରକ୍ଷିତ ଅଛନ୍ତି।

ଆଜି ଅପରାହ୍ନରେ ବିହାରର ମୁଜାଫରପୁର ଜିଲ୍ଲାର ଔରାଇ ତହସିଲର ନୟା ଗାଁରେ ଏହି ଘଟଣା ଘଟିଛି। ଦରଭଙ୍ଗା ଏୟାର ଫୋର୍ସ ବେସ୍‌ରୁ ଉଡ଼ାଣ ଭରିଥିବା ଏହି ହେଲିକପ୍ଟରଟି ଉପରୁ ରିଲିଫ ସାମଗ୍ରୀ ପକାଉଥିବା ବେଳେ ଏହାର ଏକ ବ୍ଲେଡ୍ ଭାଙ୍ଗି ଯାଇଥିଲା। ତେବେ ଉପସ୍ଥିତ ବୁଦ୍ଧି ଯୋଗୁ ପାଇଲଟ ହେଲିକପ୍ଟରଟିକୁ ଏକ ଜଳାର୍ଣ୍ଣବ ସ୍ଥାନରେ ଅବତରଣ କରାଇଥିଲେ। ଲ୍ୟାଣ୍ଡିଂ ବେଳେ ହେଲିକପ୍ଟରଟି ପାଣିରେ ପ୍ରାୟ ଅଧା ବୁଡ଼ି ଯାଇଥିଲା।

ଘଟଣା ସଂପର୍କରେ ଖବର ପାଇ ଷ୍ଟେଟ ଡିଜାଷ୍ଟର ରେସ୍‌ପନ୍ସ ଫୋର୍ସର ଏକ ଟିମ୍ ତୁରନ୍ତ ସେଠାକୁ ଯାଇଥିଲେ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ତେବେ ପ୍ରାରମ୍ଭିକ ଉଦ୍ଧାର କାର୍ଯ୍ୟ କରିଥିଲେ ସ୍ଥାନୀୟ ଲୋକେ। ହେଲିକପ୍ଟରରେ ଥିବା ଭାରତୀୟ ବାୟୁସେନାର ୪ କର୍ମଚାରୀଙ୍କୁ ସେମାନେ ଉଦ୍ଧାର କରିଥିଲେ।

ବିହାରର ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ପ୍ରତ୍ୟାୟା ଅମୃତ କହିଛନ୍ତି ଯେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଅଘଟଣ ଟଳିଗଲା। ହେଲିକପ୍ଟରଟିକୁ ଉକ୍ତ ଜଳାର୍ଣ୍ଣବ ସ୍ଥାନରେ ଅବତରଣ କରାଇବା ପୂର୍ବରୁ ଆଖପାଖରେ କେହି ଲୋକ ନଥିବା ନେଇ ପ୍ରଥମେ ସୁନିଶ୍ଚିତ ହୋଇଥିଲେ।

ad-week
Leave A Reply

Your email address will not be published.