ଜାତିସଂଘ ମହାସଚିବଙ୍କୁ ବ୍ୟାନ୍‌ କଲା ଇସ୍ରାଏଲ୍‌

add-all

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ୍‌ କରିଛି ଇସ୍ରାଏଲ୍‌। ଇସ୍ରାଏଲ ମାଟିକୁ ଗୁଟେରସଙ୍କ ପ୍ରବେଶ ଉପରେ ନିଷେଧ ଘୋଷଣା କରିଛି। ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ ନିନ୍ଦା କରି ନଥିବାରୁ ଏହି ବ୍ୟାନ୍‌ ଘୋଷଣା କରାଯାଇଛି। ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଇସ୍ରାଏଲ କ୍ୟାଟ୍‌ଜ ବୁଧବାର ତାଙ୍କ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଇସ୍ରାଏଲ ପରେ ଇରାନର ଘୃଣ୍ୟ ଆକ୍ରମଣକୁ ପୃଥିବୀର ପ୍ରାୟ ସମସ୍ତ ଦେଶ ନିନ୍ଦା କରିଛନ୍ତି। କିନ୍ତୁ ଯିଏ ଏହି ଆକ୍ରମଣକୁ ସ୍ପଷ୍ଟ ଭାବେ ନିନ୍ଦା କରିପାରିବେ ନାହିଁ, ତାଙ୍କର ଇସ୍ରାଏଲର ମାଟିରେ ପାଦ ପକାଇବାର ଅଧିକାର ନାହିଁ।

ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି, ଇଏ (ଆଣ୍ଟୋନିଓ ଗୁଟେରସ) ହେଉଛନ୍ତି ଜଣେ ମହାସଚିବ, ଯିଏ ଅକ୍ଟୋବର ୭ ତାରିଖରେ ହମାସର ହତ୍ୟାକାରୀଙ୍କ ଦ୍ୱାରା ଘଟାଯାଇଥିବା ଗଣହତ୍ୟା ଓ ଯୌନ ନିର୍ଯାତନାକୁ ଏ ପର୍ଯ୍ୟନ୍ତ ନିନ୍ଦା କରି ନାହାନ୍ତି କି ସେମାନଙ୍କୁ (ହମାସକୁ) ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଉଦ୍ୟମ କରି ନାହାନ୍ତି।

ଯେଉଁ ମହାସଚିବ ହମାସ, ହେଜବୁଲ୍ଲା ଓ ହାଉତିର ଆତଙ୍କବାଦୀ, ଦୁଷ୍କର୍ମକାରୀ ଓ ହତ୍ୟାକାରୀ ଏବଂ ବିଶ୍ୱ ଆତଙ୍କର ମା’ ଇରାନକୁ ସମର୍ଥନ କରନ୍ତି, ସେ ଜାତିସଂଘ ଇତିହାସରେ ଏକ କଳଙ୍କ ଭାବେ ମନେ ରହିବେ। ଆଣ୍ଟୋନିଓ ଗୁଟେରସଙ୍କ ସହଯୋଗ କରନ୍ତୁ ବା ନ କରନ୍ତୁ ଇସ୍ରାଏଲ ତା’ର ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେବ ଓ ଏହାର ଜାତୀୟ ସମ୍ମାନକୁ ଅକ୍ଷୁଣ୍ଣ ରଖିବ ବୋଲି କହିଛନ୍ତି ଇସ୍ରାଏଲ କ୍ୟାଟ୍‌ଜ।

ଇରାନ ୪୦୦ରୁ ଅଧିକ ମିସାଇଲ ମାଡ଼ କରିବାର ଦିନକ ପରେ ଇସ୍ରାଏଲ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ୍‌ କରିଛି। ଇରାନ ମିସାଇଲ ଓ ରକେଟ ମାଡ଼ କରିବାରୁ ଇସ୍ରାଏଲ ନାଗରିକମାନେ ବମ୍ବ ସେଲଟରଗୁଡ଼ିକରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ।

ଅବଶ୍ୟ ଇସ୍ରାଏଲ ଉପରେ ଇରାନର ମିସାଇଲ ଆକ୍ରମଣ ପରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ତାଙ୍କ ‘ଏକ୍ସ’ରେ ଲେଖିଥିଲେ ଯେ ମଧ୍ୟ ପ୍ରାଚ୍ୟରେ ବଢ଼ି ବଢ଼ି ଚାଲିଥିବା ସଂଘର୍ଷକୁ ସେ ନିନ୍ଦା କରୁଛନ୍ତି। ଏହା ବନ୍ଦ ହେବ ଆବଶ୍ୟକ। ଆମେ ସଂପୂର୍ଣ୍ଣ ଭାବେ ଅସ୍ତ୍ରବିରତି ଚାହୁଁ। କିନ୍ତୁ ସେ ଇରାନର ନାଁ ନେଇ ତା’ର ଆକ୍ରମଣକୁ ନିନ୍ଦା କରି ନଥିବାରୁ ଇସ୍ରାଏଲ କ୍ଷୁବ୍ଧ ହୋଇଛି।

ad-week
Leave A Reply

Your email address will not be published.