ନିଜର ନୂଆ ଦଳର ନାଁ ଘୋଷଣା କଲେ ପ୍ରଶାନ୍ତ କିଶୋର

add-all

ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟି ଥିବା ପ୍ରଶାନ୍ତ କିଶୋର ବୁଧବାର ପାଟନାରେ ଆନୁଷ୍ଠାନିକ ଭାବେ ତାଙ୍କର ନୂଆ ରାଜନୀତିକ ଦଳର ନାଁ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାଁ ରଖିଛନ୍ତି ‘ଜନ ସୁରାଜ ପାର୍ଟି’।

ନୂଆ ଦଳ ନାଁ ଘୋଷଣା କରିବା ଅବସରରେ ପ୍ରଶାନ୍ତ କିଶୋର କହିଥିଲେ ଯେ ତାଙ୍କ ଦଳ ଦୁଇ ବର୍ଷ ହେଲାଣି ସକ୍ରିୟ ଅଛି ଓ ନିକଟରେ ନିର୍ବାଚନ କମିଶନଙ୍କଠାରୁ ଏହାକୁ ଅନୁମତି ମିଳିଛି।

ବିଜେପି ସହିତ ତାଙ୍କ ଦଳର ସଂପର୍କ ରହିଛି ବୋଲି ବିରୋଧୀ ଅଭିଯୋଗ କରୁଥିବା ବେଳେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଜନ ସୁରାଜ ପାର୍ଟି ହେଉଛି ଆରଏସଏସ ଓ ସଂଖ୍ୟାଲଘୁଙ୍କ ମିଶ୍ରଣ।

ପାର୍ଟିର ନାଁ ଘୋଷଣା ଅବସରରେ ଏକ ବଡ଼ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ବିହାରର ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଜରୁରୀ। ଆଗାମୀ ଏକ ଦଶନ୍ଧିରେ ବିହାରର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ପାଇଁ ୫ ଲକ୍ଷ କୋଟି ଟଙ୍କା ଆବଶ୍ୟକ।

ମଦ ବ୍ୟାନ ହୋଇଥିବାରୁ ବାର୍ଷିକ ରାଜ୍ୟ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛି। ସେହି ଅର୍ଥ ଆସିଥିଲେ ତାକୁ ଶିକ୍ଷା ସଂସ୍କାରରେ ବିନିଯୋଗ କରାଯାଇପାରିଥା’ନ୍ତା। ଯେତେବେଳେ ମଦ ଉପରୁ କଟକଣା ହଟିଯିବ, ସେଥିରୁ ଯେଉଁ ଅର୍ଥ ଆସିବ, ତାକୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍ ଅବା ନେତାଙ୍କ ସୁରକ୍ଷା କ୍ଷେତ୍ରରେ ବିନିଯୋଗ କରାଯିବ ନାହିଁ। ଏହାକୁ କେବଳ ବିହାରରେ ଏକ ନୂଆ ଶିକ୍ଷା ବ୍ୟବସ୍ଥା ଗଠନରେ ବ୍ୟବହାର କରାଯିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ନିର୍ବାଚନ କମିଶନଙ୍କ ଅନୁମତି ମିଳିଥିବାରୁ ‘ଜନ ସୁରାଜ ପାର୍ଟି’ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ବୋଲି ଆଶା କରାଯାଉଛି। ତେବେ ତା’ ପୂର୍ବରୁ ଆସନ୍ତା ନଭେମ୍ବର ମାସରେ ବିହାରରେ ହେବାକୁ ଥିବା ଉପ-ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବ ଜନ ସୁରାଜ ପାର୍ଟି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ତାଙ୍କ ଦଳ ନଭେମ୍ବରରେ ହେବାକୁ ଥିବା ଉପ-ନିର୍ବାଚନରେ ପ୍ରାର୍ଥୀ ଦେବ। ଯଦି ତାଙ୍କ ଦଳ ଉପ-ନିର୍ବାଚନରେ ବିଜୟୀ ହୁଏ, ତା’ହେଲେ ବିହାରରେ ଅନେକ ରାଜନୀତିକ ଦଳ ନଷ୍ଟ ହୋଇଯିବେ।

ad-week
Leave A Reply

Your email address will not be published.