ମେଡିସିନରେ ଦୁଇ ଜଣଙ୍କୁ ନୋବେଲ

add-all

ଚଳିତ ବର୍ଷ ପାଇଁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆଜି ଚିକିତ୍ସା କ୍ଷେତ୍ର ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ଏଥର ଦୁଇ ଜଣ ମିଳିତ ଭାବେ ନୋବେଲ ପାଇବେ।

ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନଙ୍କୁ ନୋବେଲ ଦିଆଯିବ। ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନେ ଏହି ପୁରସ୍କାର ପାଇବେ। ଉଭୟଙ୍କୁ ମାଇକ୍ରୋ ଆରଏନଏ (microRNA)ର ସନ୍ଧାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ। 

ପୁରଷ୍କାର ଘୋଷଣା ସମୟରେ ନୋବେଲ ଆସେମ୍ବଲି ଏକ ବିବୃତିରେ କହିଛି ଯେ, ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନ ବିଭିନ୍ନ ସେଲ୍ ପ୍ରକାରର ବିକାଶ କ୍ଷେତ୍ରରେ ଅନୁସନ୍ଧାନ ଜାରି ରଖିଥିଲେ। ଉଭୟ ଏକ କ୍ଷୁଦ୍ର ରାଇବୋନ୍ୟିକ୍ଲିକ ଏସିଡ (RNA) ମୋଲେକୁଲ୍ସର ନୂତନ ଶ୍ରେଣୀ microRNA ଆବିଷ୍କାର କରିଥିଲେ। ଏହି microRNA ଜିନ୍ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ନିଭାଇଥାଏ। 

ଉଭୟଙ୍କ ଏହି ଆବିଷ୍କାର ଚିକିତ୍ସା କ୍ଷେତ୍ର ପାଇଁ ଉଲ୍ଲେଖନୀୟ ଅବଦାନ। microRNA ଆବିଷ୍କାର ଜିନ୍ ନିୟନ୍ତ୍ରଣ ପାଇଁ ନୂଆ ଆଇଡିଆ ଦେଇଥିଲା, ଯାହା ମାନବ ସମେତ ବହୁକୋଷୀୟ ଜୀବ ପାଇଁ ଜରୁରୀ ପ୍ରମାଣିତ ହୋଇଥିଲା ବୋଲି ନୋବେଲ ଆସେମ୍ବଲି କହିଛି। 

ପ୍ରକାଶ ଥାଉକି, ପ୍ରତିବର୍ଷ ପାଞ୍ଚଟି କ୍ଷେତ୍ର (ମେଡିସିନ, ଫିଜିକ୍ସ, କେମିଷ୍ଟ୍ରୀ, ସାହିତ୍ୟ, ଅର୍ଥନୀତି ଓ ଶାନ୍ତି)ରେ ଉତ୍କୃଷ୍ଠତା ପାଇଁ ଏହି ପୁରସ୍କାର ଦିଆଯାଏ। ସ୍ୱିଡେନର ରସାୟନବିତ୍, ବୈଜ୍ଞାନିକ, ବ୍ୟବସାୟୀ ଏବଂ ସର୍ବୋପରି ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା। ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ଦିଆଯାଉଛି।

ଡିସେମ୍ବର ୧୦, ଆଲଫ୍ରେଡ ନୋବେଲଙ୍କ ଜନ୍ମ ତାରିଖ ଅବସରରେ ବିଜେତାଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଏ। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ।

ad-week
Leave A Reply

Your email address will not be published.