ପ୍ରତିଦିନ ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ଯାଉଛି ୫୭ ଜୀବନ

add-all

ଭୁବନେଶ୍ବର : ଦେଶରେ ବଢ଼ି ଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଏଭଳି ମୃତ୍ୟୁରେ ଓଡ଼ିଶା ଦେଶରେ ଅଷ୍ଟମ ସ୍ଥାନରେ ରହିଛି। ରାଜ୍ୟରେ ବର୍ଷକୁ ଲକ୍ଷେ ଲୋକଙ୍କ ଭିତରୁ ପ୍ରାୟ ୪୬ ଜଣଙ୍କ ଜୀବନ ନେଉଛି ଅନିଚ୍ଛାକୃତ ଆଘାତ। ୨୦୨୨ ମସିହାରେ ଅକାଳରେ ଲିଭି ଯାଇଛି ୨୧ ହଜାର ୧୩ଟି ଜୀବନ ଦୀପ। ଅର୍ଥାତ୍ ପ୍ରତିଦିନ ୫୭ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି ଅନିଚ୍ଛାକୃତ ଆଘାତ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ନ୍ୟାସନାଲ ଷ୍ଟ୍ରାଟେଜି ଫର୍‌ ପ୍ରିଭେନ୍ସନ ଅଫ୍‌ଅନ୍ଇଣ୍ଟେନସନାଲ ଇଞ୍ଜୁରି ରିପୋର୍ଟରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ।
ରିପୋର୍ଟରେ ଦର୍ଶାଯାଇଛି, ରାଜ୍ୟର ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ସଡ଼କ ଦୁର୍ଘଟଣା ସବୁଠୁ ବଡ଼ ଅଂଶୀଦାର। ତଥ୍ୟ ଅନୁସାରେ, ବାର୍ଷିକ ପ୍ରତି ଲକ୍ଷେ ଲୋକରୁ ୧୧.୯୪ ଅର୍ଥାତ୍ ପ୍ରାୟ ୧୨ ଜଣଙ୍କ ଜୀବନ ନେଉଛି ସଡ଼କ ଦୁର୍ଘଟଣା। ସେହିପରି ବିଭିନ୍ନ ସ୍ଥାନରୁ ଖସି ପଡ଼ିବା କାରଣରୁ ଓଡ଼ିଶାରେ ପ୍ରତିବର୍ଷ ୨ ହଜାର ୩୨୪ ଜଣଙ୍କ ମୃତ୍ୟୁ ହେଉଛି। ପାଣିରେ ବୁଡ଼ି ୧ ହଜାର ୯୬୦, ନିଆଁରେ ପୋଡ଼ି ୧ ହଜାର ୨୨୩ ଜଣଙ୍କ ଜୀବନ ଯାଉଛି।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅନିଚ୍ଛାକୃତ ମୃତ୍ୟୁରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ଅଧିକ। ବେପରୁଆ ଗାଡ଼ି ଚାଳନା ସାଙ୍ଗକୁ ନିଶାସେବନ, ସୋଶାଲ ମିଡ଼ିଆ ପାଇଁ ରିଲ୍ସ ବନେଇବା ନିଶା ହିଁ ଯୁବପିଢ଼ିଙ୍କ ଅନିଚ୍ଛାକୃତ ଆଘାତ ଜନିତ ମୃତ୍ୟୁର ସବୁଠୁ ବଡ଼ କାରଣ ପାଲଟୁଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ଷ୍ଟ୍ରାଟେଜି ରିପୋର୍ଟ ଅନୁସାରେ, ଅନିଚ୍ଛାକୃତ ଆଘାତ ମୃତ୍ୟୁ ଜାତୀୟ ହାର ଲକ୍ଷେରେ ୩୧.୨ । ଯାହାକି ଓଡ଼ିଶାର ୪୫.୬ ତୁଳନାରେ ଢେର୍‌ କମ୍‌ ରହିଛି। ଅନ୍ୟପକ୍ଷରେ ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ୧୮ ରୁ ୬୦ ବର୍ଷ ବୟସ୍କଙ୍କ ସଂଖ୍ୟା ସର୍ବାଧିକ। ୧୪ ବର୍ଷରୁ କମ୍‌ ତଥା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ମାତ୍ର ଏକ ଚତୁର୍ଥାଂଶ। ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ମତରେ, ଯେହେତୁ ଆମ ରାଜ୍ୟରେ ଅନିଚ୍ଛାକୃତ ମୃତ୍ୟୁ ଜାତୀୟ ହାରଠୁ ଢେର ଅଧିକ ରହିଛି, ଏନେଇ ଶ୍ୱେତପତ୍ର ପ୍ରକାଶ କରନ୍ତୁ ରାଜ୍ୟ ସରକାର।
୨୦୨୨ ମସିହାରେ ଦେଶରେ ଇଚ୍ଛାକୃତ ଆଘାତ ମୃତ୍ୟୁ ବା ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର ୯୨୪ ଥିବା ବେଳେ ଅନିଚ୍ଛାକୃତ ଆଘାତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୦ ହଜାର ୫୦୪ ଥିଲା।

ad-week
Leave A Reply

Your email address will not be published.