ମୁମ୍ବାଇରେ ନିବେଶକ ସମ୍ମିଳନୀ-ରୋଡ୍ ସୋ’, ଯୋଗଦେବେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ବର: ମୁମ୍ବାଇରେ ଆସନ୍ତା ୧୮ ଓ ୧୯ ତାରି‌ଖରେ ନିବେଶକ ସମ୍ମିଳନୀ ଓ ରୋଡ୍ ସୋ’ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୨ ଦିନିଆ ନିବେଶକ ସମ୍ମିଳନୀ ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ନିବେଶକ ସମ୍ମିଳନୀ ଓ ରୋଡ୍ ସୋ’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀ ଯୋଗଦେବେ। ରାଜ୍ୟରେ ଶିଳ୍ପାୟନ ଲାଗି ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ଓ ପୁଞ୍ଜି ନିବେଶକଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବେ। ଏଥିସହିତ ୧୮ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଇଣ୍ଡିଆ କେମ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମିଲ ହେବେ, ଯାହାକୁ କି କେନ୍ଦ୍ର ରସାୟନ ମନ୍ତ୍ରୀ ଜେପି ନଡ୍ଡା ଉଦଘାଟନ କରିବେ। ପାରାଦୀପ, ଗୋପାଳପୁର ଓ ଧାମରାକୁ କେମିକାଲ ଶିଳ୍ପ ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାର ୧୯ ତାରିଖରେ ୩୦୦ରୁ ଅଧିକ ନିବେଶକଙ୍କ ସହ ଆଲୋଚନା କରିବେ।

ଶିଳ୍ପମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି, କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟାସ୍କଫୋର୍ସ ଗଠନ ହୋଇଛି। ମୁଖ୍ୟ ଶାସନ ସଚିବ ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି। ଉକ୍ତ ଶିଳ୍ପ ପ୍ରତିଷ୍ଠା ଲାଗି ଦୁଇଟି ସ୍ଥାନ ନିରୂପଣ ଲାଗି ନିର୍ଦ୍ଦେଶ ରହିଛି। ଷ୍ଟିଲ ଶିଳ୍ପର ବଡ଼ ନିବେଶକଙ୍କ ସହ ଆଲୋଚନା ଚାଲିଛି। ପୂର୍ବ ସରକାର ଲୋକ ଦେଖାଣିଆ ଭାବେ ଷ୍ଟିଲ ପ୍ଲାଣ୍ଟ ଘୋଷଣା କରିଥିଲେ। ଲୋକଙ୍କ ସରକାର କଥାରେ ନୁହେଁ, କାର୍ଯ୍ୟରେ କରି ଦେଖାଇବ ବୋଲି ସେ କହିଛନ୍ତି। କେନ୍ଦୁଝରରେ ମୋହନ ସରକାର ନିଶ୍ଚୟ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବେ। ଯାହାଫଳରେ ଓଡିଶା ଆଗାମୀ ଦିନରେ ଶିଳ୍ପ ହବ୍ ହେବାକୁ ଯାଉଛି ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.