ହମାସ ମୁଖ୍ୟ ୟାହୟା ସିନଓ୍ୱାର ନିହତ, ସ୍ପଷ୍ଟ କଲେ ନେତାନ୍ୟାହୁ

add-all

ଇସ୍ରାଏଲ ସେନାକୁ ମିଳିଲା ବଡ଼ ସଫଳତା। ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଟଳିଲା ହମାସ ମୁଖ୍ୟ ୟାହୟା ସିନଓ୍ୱାର। ଏନେଇ ଇସ୍ରାଏଲ କର୍ତ୍ତୃପକ୍ଷ ଗୁରୁବାର ରାତିରେ ସ୍ପଷ୍ଟ କରିଛନ୍ତି। ହମାସ ମୁଖ୍ୟ ୟାହୟା ସିନଓ୍ୱାର ନିହତ ହୋଇଥିବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀ କରି ନେତାନ୍ୟାହୁ କହିଛନ୍ତି, ଅକ୍ଟୋବର ୭ ତାରିଖର ଆମ ଲୋକଙ୍କ ସହ ନରସଂହାର ଘଟାଇଥିବା ବ୍ୟକ୍ତିଙ୍କ ଠାରୁ ଆମେ ପ୍ରତିଶୋଧ ନେଇଛୁ। ଗାଜାରେ ହମାସ ବନ୍ଧକଙ୍କ ଘରକୁ ଫେରିବା ସଂଗ୍ରାମରେ ହାମାସ ନେତା ୟାହୟା ସିନୱାରଙ୍କ ହତ୍ୟା ଏକ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ। ତେବେ ଏହା ଯୁଦ୍ଧର ଶେଷ ନୁହେଁ, ଏହା ଶେଷର ଆରମ୍ଭ।

ସେ ଆହୁରି କହିଛନ୍ତି, ‘ହମାସ୍ ଅସ୍ତ୍ର ଛାଡ଼ି ପଣବନ୍ଦୀଙ୍କୁ ଫେରାଇଲେ ଯୁଦ୍ଧ କାଲି ସରିଯିବ। ହମାସ୍ ୨୩ ଦେଶର ୧୦୧ ନାଗରିକଙ୍କୁ ଏବେ ବି ପଣବନ୍ଦୀ କରି ରଖିଛି।’ ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ଉତ୍ତମ ଭବିଷ୍ୟତ ଲାଗି ଏକାଠି ହେବାକୁ ନେତାନ୍ୟାହୁ ଆହ୍ୱାନ ଦେଇଛନ୍ତି। ସେପଟେ ସିନୱାର ନିହତ, ଇସ୍ରାଏଲ୍ ପାଇଁ ଭଲ ଦିନ କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

ସୂଚନା ଅନୁଯାୟୀ, ଗାଜା ଆକ୍ରମଣ ସମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ସିନଓ୍ୱାର ଥିବା ନେଇ ସନ୍ଦେହ କରାଯାଉଥିଲା। ଡିଏନ୍‌ଏ ପରୀକ୍ଷାରୁ ଜଣେ ମୃତକ ହମାସ୍‌ ନେତା ସିନ୍‌ଓ୍ୱାର ବୋଲି ସ୍ପଷ୍ଟ ହୋଇଛି। ତେବେ ଶୀର୍ଷ ନେତାଙ୍କ ମୃତ୍ୟୁ ନେଇ ହମାସ୍‌ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।

୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ୍‌ ଉପରେ ହମାସ ଆକ୍ରମଣ ଯୋଜନାର ଅନ୍ୟତମ ମୁଖ୍ୟ ଥିଲେ ସିନ୍‌ଓ୍ୱାର। ଗାଜା ଆକ୍ରମଣ କରିବା ଆରମ୍ଭରୁ ଇସ୍ରାଏଲ୍‌ ତାଙ୍କୁ ହତ୍ୟା କରିବା ପାଇଁ ସଂକଳ୍ପ ନେଇଥିଲା।

ସିନ୍‌ଓ୍ୱରଙ୍କ ମୃତ୍ୟୁ ହମାସ୍‌ ପାଇଁ ଏହା ବଡ଼ ଝଟକା। କାରଣ ବହୁବର୍ଷ ଧରି ଗାଜା ଷ୍ଟ୍ରିପ୍‌ରେ ସେ ହମାସ୍‌ର ଶୀର୍ଷ ନେତା ରହିବା ସହ ଏହାର ସାମର୍ଥ୍ୟ ବଢ଼ାଇଥିଲେ। ତାଙ୍କ ମୃତ୍ୟୁ ଇସ୍ରାଏଲ୍‌ ସେନା ପାଇଁ ଏକ ବଡ଼ ସାମରିକ ଏବଂ ନୈତିକ ସଫଳତା ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ କାଟ୍‌ଜ କହିଛନ୍ତି। ତାଙ୍କ ମୃତ୍ୟୁ ପରେ ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲୀମାନଙ୍କୁ ତୁରନ୍ତ ମୁକ୍ତ କରାଯାଇପାରେ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.