ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା

add-all

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା। ଏନେଇ ଓଡ଼ିଶା ରାଜ୍ୟ ସରକାର ବିଧିବଦ୍ଧ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରାଥମିକ ସ୍ତରରେ ଏହା ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆଗରେ ପ୍ରସ୍ତାବ ରଖିଥିବା ବେଳେ ସରକାରଙ୍କ ତରଫରୁ ଆଞ୍ଚଳିକ ଶାଖା ପ୍ରତିଷ୍ଠା ପାଇଁ ବିଧିବଦ୍ଧ ଭାବେ ଅନୁମୋଦନ ମିଳିଛି l ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ପ୍ରକାଶଯୋଗ୍ୟଯେ, ୧୯୫୯ ମସିହାରେ ପ୍ରତିଷ୍ଠିତ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ୧୯୭୫ ମସିହାରୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଏକ ସ୍ୱୟଂ ଶାସିତ ଅନୁଷ୍ଠାନ ରୂପେ କାର୍ଯ୍ୟ କରିଆସୁଛି। ବିଶିଷ୍ଟ ଅଭିନେତା ପରେଶ୍ ରାୱଲ ଏହାର ଅଧ୍ୟକ୍ଷ ଓ ଓଡ଼ିଶାର ବିଶିଷ୍ଟ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏହାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ଅଜିତ ଦାସ, ସୂର୍ଯ୍ୟ ମହାନ୍ତି ଆଦି ଏହି ବିଦ୍ୟାଳୟର ପ୍ରମୁଖ ଛାତ୍ର ରହି ଆସିଛନ୍ତି। ଓଡ଼ିଶାରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଆ ସଂସ୍କୃତି ଏବଂ ବିଶେଷ ଭାବେ ଓଡ଼ିଆ ନାଟ୍ୟ ପରମ୍ପରାର ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି।

ad-week
Leave A Reply

Your email address will not be published.