ଶ୍ରୀମନ୍ଦିରରେ ଜେଟିପିଙ୍କ ମୁଣ୍ଡ ଫଟାଇ ଦେଲେ ବଙ୍ଗୀୟ ଭକ୍ତ

add-all

ପୁରୀ : ଶ୍ରୀମନ୍ଦିରରେ ଜେଟିପିଙ୍କ ମୁଣ୍ଡ ଫଟାଇଦେଲେ ବଙ୍ଗୀୟ ଭକ୍ତ। ଆଜି ସକାଳେ ଏପରି ଘଟଣା ଶ୍ରୀମନ୍ଦିର ଘଣ୍ଟି ଦ୍ୱାରରେ ଘଟିଛି। ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବଙ୍ଗୀୟ ପର୍ଯ୍ୟଟକଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ପୁଲିସ୍‌ ଜେଟିପି ଓ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
ଘଣ୍ଟି ଦ୍ୱାର ଦେଇ କେବଳ ହବିଷ୍ୟାଳିମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ। ଏଥିପାଇଁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏହା ସତ୍ତ୍ୱେ କିଛି ବଙ୍ଗୀୟ ଶ୍ରଦ୍ଧାଳୁ ସେହି ଦ୍ୱାର ଦେଇ ପ୍ରବେଶ କରୁଥିଲେ। ହେଲେ ଘଣ୍ଟିଦ୍ୱାରରେ ମୁତୟନ ଥିବା JTP ଗୁପ୍ତେଶ୍ୱର ରାଉତରାୟ ସେମାନଙ୍କୁ ବାରଣ କରିଥିଲେ। କିନ୍ତୁ ବଙ୍ଗୀୟ ପର୍ଯ୍ୟଟକମାନେ କିଛି ଶୁଣିନଥିଲେ। ବଳ ପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ସେଠାରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ।
ଯୁକ୍ତିତର୍କ ପରବର୍ତ୍ତୀ ସମୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଅଭିଯୋଗ ଅନୁସାରେ ବାଙ୍ଗୀୟ ପର୍ଯ୍ୟଟକମାନେ ଉତ୍‌କ୍ଷିପ୍ତ ହୋଇ ଗୁପ୍ତେଶ୍ୱରକୁ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ତାଙ୍କୁ ସଙ୍ଗେ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ସେ ଏ ନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବାଙ୍ଗୀୟ ଶ୍ରଦ୍ଧାଳୁମାନେ ମଧ୍ୟ JTPଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି।
ବଙ୍ଗୀୟ ଶ୍ରଦ୍ଧାଳୁଙ୍କ ଅଭିଯୋଗ ଅନୁସାରେ ସେମାନେ ସପରିବାରେ ଘଣ୍ଟିଦ୍ୱାର ଦେଇ ପ୍ରବେଶ କରୁଥିବା ବେଳେ ଗୁପ୍ତେଶ୍ୱର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଗହଳୀର ସୁଯୋଗ ନେଇ ପରିବାର ଲୋକଙ୍କ ଶରୀରରେ ହାତ ମାରିଥିଲେ। ତେଣୁ ନିଜକୁ ରକ୍ଷା କରିବାକୁ ଯାଇ ଆକ୍ରମଣ କରିଥିବା ବଙ୍ଗୀଳ ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.