ସମ୍ବିଧାନ ଦିବସ: ହସ୍ପିଟାଲ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର: ଦେଶ ପାଳୁଛି 75ତମ ସମ୍ବିଧାନ ଦିବସ । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଏଜି ଛକ ଠାରେ ଆୟୋଜିତ ହୋଇଥିଲା ଏକ କାର୍ଯ୍ୟକ୍ରମ l କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିଭାଗର ପ୍ରମୁଖ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ, ନେହେରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ, କ୍ରୀଡାବିତ୍, ଛାତ୍ର ଛାତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ଏଥିସହ ପଥ ପ୍ରାନ୍ତ ନାଟକ, ଓ ଅନ୍ୟାନ୍ୟ ସଚେତନତା ଧର୍ମୀ କାର୍ଯ୍ୟକ୍ରମ କରିଥିଲେ ଛାତ୍ରଛାତ୍ରୀ ମାନେ ।

କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଥମେ ସମ୍ବିଧାନ ଚିଠା ପ୍ରସ୍ତୁତ କମିଟିର ଅଧ୍ୟକ୍ଷ ଡକ୍ଟର ବାବା ସାହେବ ଭୀମ ରାଓ ଅମ୍ୱେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ମ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳର ଉପସ୍ଥିତ ସଦସ୍ୟ ଗଣ l ସମ୍ବିଧାନ ହେଉଛି ଆମ ସ୍ଵାଧୀନ ଭାରତର ପୁଣ୍ୟ ଗ୍ରନ୍ଥ। ଦେଶର ମାର୍ଗ ଦର୍ଶକ। ଦେଶର ସବୁ ଆଇନ, କାନୁନ୍, ବିଧି ବ୍ୟବସ୍ଥାର ମୁଖ୍ୟ ସ୍ରୋତ । ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ସବୁ ନାଗରିକ ନିଜ ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, ଆମ ସମ୍ବିଧାନ ଆମ ପାଇଁ ଏକ ଆଶୀର୍ବାଦ। ଏହା ଜାତି-ଧର୍ମ, ଧନୀ-ଗରିବ, ପୁରୁଷ-ନାରୀ ନିର୍ବିଶେଷରେ ସମସ୍ତଙ୍କୁ ସମ୍ମାନ ଅଧିକାର ଦେଇଛି। ତେଣୁ ଆମେ ଆମର ସମ୍ବିଧାନ ନିର୍ମାତା ମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଉଚିତ୍ l ଆମ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତକୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ। ଦେଶର ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ଦାୟିତ୍ବବାନ ହୋଇ କାମ କରିବା ଆବଶ୍ୟକ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏଜି ଛକ ଠାରୁ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ପ୍ରାୟ ଏକ ହଜାରରୁ ଅଧିକ ଲୋକ ଏକ ପଦ ଯାତ୍ରାରେ ଯାଇଥିଲେ। ପଦ ଯାତ୍ରାରେ ‘ ଆମ ସମ୍ବିଧାନ ଆମ ସ୍ବାଭିମାନ ‘ ଧ୍ଵନି ଦେଇ ସମସ୍ତେ ଉତ୍ସାହର ସହ ପଦ ଯାତ୍ରାରେ ଯାଇଥିଲେ। ଏହାପରେ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଗଣ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.