ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ

add-all

ଯାଜପୁର : ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ। ଅର୍ଥାତ ମାଆ ବିରଜା ମନ୍ଦିର ପାଖରେ ଚାଲିବ ହାଟ। ଆସନ୍ତା ରବିବାରଠାରୁ ପୁରୁଣା ସ୍ଥାନରେ ହାଟ ଚାଲିବାକୁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ। ଏହି ଘୋଷଣା ପରେ ଚାଷୀଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି।
ହାଟ ବିବାଦ ସମାଧାନ ପାଇଁ ଉଭୟ ପକ୍ଷଙ୍କ ସହ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ମନ୍ଦିର ସେବାୟତଙ୍କୁ ନେଇ ଗତ ସପ୍ତାହରେ ବୈଠକ ବସିଥିଲା। ଆଜି ପୁଣି ଥରେ ବୈଠକ ବସିଥିଲା। ବୈଠକରେ ହାଟ ଉପରେ ଆଲୋଚନା ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ହାଟ ପୁରୁଣା ସ୍ଥାନ ଅର୍ଥାତ ବିରଜା ମନ୍ଦିର ନିକଟକୁ ଫେରିବାକୁ ନିଷ୍ପତ୍ତି ହୋଇଥିଲା। ଆସନ୍ତା ରବିବାରଠାରୁ ହାଟ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ କହିଛନ୍ତି।
ପୁରୁଣା ସ୍ଥାନ ବା ବିରଜା ମନ୍ଦିର ନିକଟରେ ସ୍ଥାୟୀ ଭାବେ ଏକ ମଡେଲ୍‌ ହାଟ ନିର୍ମାଣ ହେବ। ହାଟରେ ବ୍ୟବସାୟୀଙ୍କ ପାଇଁ ଅଲଗା ଅଲଗା ପିଣ୍ଡି ନିର୍ମାଣ କରାଯିବ। ଏଥିସହ ତେଜରାତି ଦୋକାନୀଙ୍କ ପାଇଁ ଘର ନିର୍ମାଣ କରାଯିବ। ହାଟକୁ ଆସୁଥିବା ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ପାର୍କିଂ ଓ ଟଏଲେଟ୍‌ର ବ୍ୟବସ୍ଥା କରାଯିବ। ଏଥିପାଇଁ ଟିକେ ସମୟ ଲାଗିବ। ତେଣୁ ପୁରୁଣା ହାଟରେ ବିକ୍ରିବଟା ସହ ଏକ ସଙ୍ଗେ ନିର୍ମାଣ କାର୍ଯ୍ୟ ଚାଲିବ ବୋଲି ଜିଲ୍ଲାପାଳ କହିଛନ୍ତି।

୨୦୨୪ ଜାନୁଆରୀ ୧୯ ତାରିଖରେ ବିରଜା ହାଟକୁ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ପାଇଁ ସନ୍ଥ ମାଧବ ଅଞ୍ଚଳକୁ ସ୍ଥାନାନ୍ତରିତ କରାଯାଇଥିଲା। ସରକାର ବଦଳିବା ପରେ ଚାଷୀ ଓ ବ୍ୟବସାୟୀ ପୁରୁଣା ଜାଗା ଅର୍ଥାତ ମନ୍ଦିର ନିକଟସ୍ଥ ହାଟକୁ ଫେରିବା ପାଇଁ ଦାବି କରିଆସୁଥିଲେ। ଯାହାକୁ ନେଇ ବିଧାୟକଙ୍କ ଉପରେ ଆକ୍ରମଣ ଓ ଥାନା ଘେରାଉ ଘଟଣା କରାଯାଇଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ମାମଲା ସମାଧାନ ପାଇଁ ପ୍ରଶାସନ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିଥିଲା। ନିଷ୍ପତ୍ତି ଅନୁସାରେ ହାଟ ପୁରୁଣା ପୁରୁଣା ଜାଗାରେ ଚାଲିବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ad-week
Leave A Reply

Your email address will not be published.