ମାଆ ଲକ୍ଷ୍ମୀଙ୍କ କ୍ଷୁଣ୍ଣ ମୂର୍ତ୍ତି ବଦଳରେ ସ୍ବର୍ଣ୍ଣ ମୂର୍ତ୍ତି ପୂଜା ସ୍ଥଳରେ ରଖିବାକୁ ଦାବି କଲେ ସେବାୟତ

youtube

କୋଟି କୋଟି ଓଡ଼ିଆ ଲୋକଙ୍କ ମଉଡ଼ମଣି ଶ୍ରୀ ଜଗନ୍ନାଥଙ୍କ ଘରଣୀ ମା’ ମହାଲକ୍ଷ୍ମୀ ଏବେ ଶ୍ରୀମନ୍ଦିର ଭିତରେ କ୍ଷୁଣ୍ଣ ଅବସ୍ଥାରେ ପୂଜା ପାଉଛନ୍ତି । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାର ସତ୍ୟତାକୁ ଆହୁରି ଦୃଢ କରିଛି ଖୋଦ ସେବାୟତଙ୍କ ପ୍ରତିକ୍ରିୟା । ସେପଟେ ଭିତର ରତ୍ନଭଣ୍ଡାରରେ ମା ମହାଲକ୍ଷ୍ମୀଙ୍କ ଏକ ସୁନା ମୂର୍ତ୍ତି ନିର୍ମାଣ ହୋଇ ରହିଥିବା ବେଳେ ତାହା ଦୀର୍ଘ ବର୍ଷ ହେବ ଅପୂଜା ରହିଛି । ୧୯୭୨ ଓ ୧୯୭୪ ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ସୁନାରେ ତିଆରି ମହାଲକ୍ଷ୍ମୀଙ୍କ ଏକ ମୂର୍ତ୍ତି ପ୍ରସ୍ତୁତ ହୋଇ ରହିଥିଲା । କିନ୍ତୁ ଏବେ ଯାଏଁ ସେହି ମୂର୍ତ୍ତି ଅପୂଜା ହୋଇ ରହିଛନ୍ତି । ତେବେ କାହିଁକି କ୍ଷୁଣ୍ଣ ମୂର୍ତ୍ତିକୁ ପୂଜା କରାଯାଉଛି ଓ ନୂତନ ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇ ପୂଜା କରାଯାଉନାହିଁ ସେନେଇ ଉଠିଛି ପ୍ରଶ୍ନ । ସେପଟେ ନୂତନ ବିଗ୍ରହ ପ୍ରାଣ ପ୍ରତିଷ୍ଠାକୁ ନେଇ କୌଣସି ବିବାଦ ଯୋଗୁଁ ମୂର୍ତ୍ତି ଅପୂଜା ରହିଛି ବୋଲି କହିଛନ୍ତି ବରିଷ୍ଠ  ସେବାୟତ । ତେବେ ଶ୍ରୀମନ୍ଦିର ପ୍ରଶାସନ ଖୁବଶୀଘ୍ର ଏହି ପ୍ରସଙ୍ଗକୁ ସମାଧାନ କରି ନୂତନ ବିଗ୍ରହ ସ୍ଥାପନ କରିବାକୁ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ ଏହି ପ୍ରସଙ୍ଗରେ ପୂଜା ପଣ୍ଡା ସାମନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି । ୨୦୧୫ ମସିହାରୁ ଭିତର ରତ୍ନଭଣ୍ଡାରରେ ଥିବା ନୂତନ ମହାଲକ୍ଷ୍ମୀଙ୍କ ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇ ପୂଜା କରାଯିବା ଉଦ୍ୟମ ଆରମ୍ଭ କରାଯାଇଥିଲା । ତେବେ ଶ୍ରୀମନ୍ଦିର ପ୍ରଶାସନ ଏହି ବିବାଦର ସମାଧାନ କରିପାରିନାହିଁ ବୋଲି କହିଛନ୍ତି ବରିଷ୍ଠ ପୂଜାପଣ୍ଡା ସେବାୟତ । ବର୍ତ୍ତମାନ ପୂଜା ପାଉଥିବା ମହାଲକ୍ଷ୍ମୀଙ୍କ ମୂର୍ତ୍ତିର କ୍ଷୁଣ୍ଣ ଅବସ୍ଥାରେ ରହିଛି । ଯାହା ମଙ୍ଗଳକର ନୁହେଁ ବୋଲି ବିବେଚନା କରାଯାଉଛି । ଅବଶ୍ୟ ଏହି ସମ୍ବେଦନଶୀଳ ଘଟଣା ଉପରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ରତ୍ନଭଣ୍ଡାର ମରାମତି ଗଣତି ମଣତି ପରେ ଏ ପ୍ରସଙ୍ଗରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି l

ନୂତନ ବିଗ୍ରହ ଭିତର ରତ୍ନଭଣ୍ଡାରରୁ ଅଣାଯାଇ ପୂଜା ନକରିବା ପଛରେ କଣ ରହିଛି  ଉଦେଶ୍ୟ ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ବର୍ତ୍ତମାନ ରତ୍ନଭଣ୍ଡାର ଖୋଲା ଯାଉଥିବା ବେଳେ ନୂତନ ମୂର୍ତ୍ତି ପୂଜା କରିବା ଲାଗି ଦାବି କରିଛନ୍ତି ସେବାୟତ l

Leave A Reply

Your email address will not be published.