ଦେଖି ପାରିଲେନି ଉଜୁଡ଼ା ଫସଲ, ଟଳି ପଡ଼ିଲେ ଚାଷୀ

add-all

ଭୁବନେଶ୍ୱର: ବର୍ଷ ଯାକ ପରିଶ୍ରମ କରି ବିଲରେ ସୁନା ଫସଲ ଫଳାଉଥିଲେ। ଆଉ ସେହି ପରିଶ୍ରମର ଫଳକୁ ବିକି ନିଜ ପରିବାର ପେଟ ପୋଷୁଥିଲେ। ମାତ୍ର ଅଦିନିଆ ବର୍ଷା ଯୋଗୁ ବର୍ଷକର ପରିଶ୍ରମ ଧୋଇ ଯାଇଥିବା ବେଳେ ଏହାକୁ ଦେଖି ସହି ପାରିଲେନି ଚାଷୀ। ପରିବାର ମୁହଁରେ କିପରି ଦାନା ଦେବେ ଭାବି ସେହିଠାରେ ହିଁ ସେ ଟଳି ପଡ଼ିଲେ।
ଏପରି ଏକ ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଚିକଣା ପଞ୍ଚାୟତରେ ଘଟିଛି। ମୃତକ ହେଲେ ମଣିଭଦ୍ର ମହାନ୍ତି । ମଣିଭଦ୍ର ଧାରକରଜ କରି ୩ ଏକର ଜମିରେ ଧାନ ଚାଷ କରିଥିଲେ । ମାତ୍ର ଅଦିନିଆ ବର୍ଷା ଯୋଗୁ ବିଲରେ ଧାନ ଗଜା ହୋଇଗଲା । ନିଜ ବିଲ ଦେଖିବାକୁ ଯାଇଥିବା ମଣିଭଦ୍ର ଏହା ସହି ପାରିଲେନି। ଆଉ ଅତ୍ୟଧିକ ମାନସିକ ଚାପ ଯୋଗୁ ସେଠାରେ ହିଁ ବେହୋସ ହୋଇଗଲେ।
ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ତୁରନ୍ତ ବିଞ୍ଝାରପୁର ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ମଣିଭଦ୍ରଙ୍କୁ ମୃତ ଘୋଷଣା କଲେ। ମଣିଭଦ୍ରଙ୍କ ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି।
ଏଥର ଅଦିନିଆ ବର୍ଷା ଯୋଗୁ ବହୁ ଚାଷୀଙ୍କ ଫସଲ ବିଲରେ ପଡ଼ି ରହିଛି। ବିଲରେ ପଡ଼ି ପଡ଼ି ଧାନ ଗଜା ହେବାକୁ ବସିଥିବା ବେଳେ ମୁଣ୍ଡରେ ହାତ ଦେଉଛି ଚାଷୀ। ଏପରି ଶକ୍ତ ଧକ୍କାକୁ ଚାଷୀମାନେ ସହି ପାରୁ ନ ଥିବା ବେଳେ କିଏ ଆପେଆପେ ଟଳି ପଡ଼ୁଛି ତ କିଲ ନିଜ ଜୀବନ ହାରୁଛି।

ଆଜି ସକାଳେ କେନ୍ଦ୍ରାପଡ଼ାର ଜଣେ ଚାଷୀ କୀଟନାଶକ ପିଇ ଦେଇଥିବା ବେଳେ କିଛି ଦିନ ପୂର୍ବେ କେନ୍ଦ୍ରାପଡ଼ାର ଜଣେ ଚାଷୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ସେହିପରି ବ୍ରହ୍ମପୁରର ଜଣେ ଚାଷୀ ବେକରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା କରିଥିଲେ।

ad-week
Leave A Reply

Your email address will not be published.