କଂଗ୍ରେସର ‘ପ୍ରିୟ ଦିଦି ଯୋଜନା’: ପ୍ରତି ମହିଳାଙ୍କୁ ଦେବ ୨,୫୦୦ ଟଙ୍କା

add-all

ନୂଆଦିଲ୍ଲୀ : ଦିଲ୍ଲୀରେ ଦୀର୍ଘ ବର୍ଷ ହେଲା କ୍ଷମତାରୁ ବାହାରେ ଥିବା କଂଗ୍ରେସ ଏଥର ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଚେଷ୍ଟା କରିଛି। ଏଥିପାଇଁ ଦଳ ପକ୍ଷରୁ ମହିଳାମାନଙ୍କ ପାଇଁ ପ୍ରିୟ ଦିଦି ଯୋଜନା ଲାଗୁ ହେବ ବୋଲି କୁହାଯାଇଛି। ଏହି ଯୋଜନା ଅଧୀନରେ କଂଗ୍ରେସ କ୍ଷମତାକୁ ଆସିବା କ୍ଷଣି ଦିଲ୍ଲୀର ପ୍ରତିଟି ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଲେଖାଏ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।
କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଯୋଜନା ସମ୍ପର୍କରେ ଘୋଷଣା କରିବା ସହ କଂଗ୍ରେସ ଦିଲ୍ଲୀରେ ନିଶ୍ଚିତ ଭାବେ କ୍ଷମତା ଦଖଲ କରିବ ବୋଲି କହିଛନ୍ତି। ସେ କହିଛନ୍ତି, “ଆମେ ଦିଲ୍ଲୀରେ ସରକାର ଗଠନ କରିବା ମାତ୍ରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବୁ। ପ୍ରଥମ କ୍ୟାବିନେଟରେ ଏହି ଯୋଜନା ଉପରେ ମୋହର ଲାଗିକ। କର୍ଣ୍ଣାଟକା ଭଳି ଦିଲ୍ଲୀରେ ମହିଳାମାନଙ୍କୁ ଆମେ ମାସିକ ୨୫୦୦ ଟଙ୍କା ଲେଖାଏ ଦେବୁ।”
ଶିବକୁମାରଙ୍କ ଏହି ଘୋଷଣା ବେଳେ ଦିଲ୍ଲୀ କଂଗ୍ରେସ ମୁଖିଆ ଦେବେନ୍ଦ୍ର ଯାଦବ, ପ୍ରଭାରୀ କାଜି ନିଜାମୁଦ୍ଦିନ ଓ ଅନ୍ୟ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଏହାପୂର୍ବରୁ ପ୍ରାୟ ସମାନ ଯୋଜନା ଦିଲ୍ଲୀରେ ଲାଗୁ କରିବା ପାଇଁ ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ। କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ ମହିଳାଙ୍କ ମାସିକ ଆର୍ଥିକ ସହାୟତା ଦିଆଯିବ ବୋଲି କହିଥିଲେ। ମହିଳାଙ୍କୁ ନିର୍ବାଚନ ପରେ ଏହି ଯୋଜନାରେ ମିଳୁଥିବା ୧ ହଜାର ଟଙ୍କାକୁ ୨୧୦୦କୁ ବୃଦ୍ଧି କରାଯିବ ବୋଲି ସେ ଘୋଷଣା କରିଥିଲେ। ଏବେ କଂଗ୍ରେସ ମଧ୍ୟ ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ପ୍ରିୟ ଦିଦି ଯୋଜନା ଲାଗୁ କରିବ ବୋଲି କହିଛି।
ଆସନ୍ତା ମାସରେ ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ଆସନ ପାଇଁ ଭୋଟିଂ ହୋଇପାରେ। ଏଥିପାଇଁ ସବୁ ରାଜନୀତିକ ଦଳ ନିଜ ନିଜର ପ୍ରଚାର ଆରମ୍ଭ କରିଦେଇଛନ୍ତି। ସବୁ ଦଳ ମହିଳା ଭୋଟରଙ୍କ ଉପରେ ମଧ୍ୟ ଫୋକସ କରିଛନ୍ତି।

ad-week
Leave A Reply

Your email address will not be published.