ଅମିତ ଶାହଙ୍କୁ ‘ନିର୍ବାଚନୀ ମୁସଲମାନ’ କହି ଫଟୋ ପୋଷ୍ଟ କଲା ଆପ୍

add-all

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିଛି ବିଗୁଲ। ଫେବୃଆରୀ ୫ରେ ଭୋଟଗ୍ରହଣ ଓ ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଅନ୍ୟପଟେ ଦିଲ୍ଲୀରେ ଶାସକ ଆମ୍ ଆଦମୀ ପାର୍ଟି ଓ ବିରୋଧୀ ବିଜେପି ମଧ୍ୟରେ ପୋଷ୍ଟର ୱାର୍ ଜାରି ରହିଛି। ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଟାକ୍ଷ କରି ଏକ ପୋଷ୍ଟର ଜାରି କରିଛି ଆମ୍ ଆଦମି ପାର୍ଟି। ଏଥିରେ ଶାହଙ୍କୁ ‘ଚୁନାବୀ ମୁସଲମାନ’ (ନିର୍ବାଚନୀ ମୁସଲମାନ) ଭାବେ ଦର୍ଶାଯାଇଛି

କିଛିଦିନ ତଳେ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିମାନଙ୍କ ପାଇଁ ମାସିକ ଦରମା ଯୋଜନା ଘୋଷଣା କରିଥିଲା ଆପ୍। ଯାହାକୁ ନେଇ କେଜ୍ରିୱାଲଙ୍କୁ ‘ଚୁନାବି ହିନ୍ଦୁ’ (ନିର୍ବାଚନୀ ହିନ୍ଦୁ) ବୋଲି କଟାକ୍ଷ କରି ଏକ ପୋଷ୍ଟର ଜାରି କରିଥିଲା ବିଜେପି। ଏହାପରେ ଅନ୍ୟ ଏକ ପୋଷ୍ଟରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ, ସାଂସଦ ରାଘବ ଚଢା ଓ ସଂଜୟ ସିଂହଙ୍କ ଫଟୋ ଲଗାଇ ଏମାନଙ୍କୁ ଗୁଣ୍ଡା ବୋଲି କହିଥିଲା ବିଜେପି। ଏହାପରେ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ସହ ଏକ ପୋଷ୍ଟର ଜାରି କରି ଶାହଙ୍କୁ ‘ନିର୍ବାଚନୀ ମୁସଲମାନ’ ବୋଲି କହିଛି ଆପ୍।

ଆପ୍ ପକ୍ଷରୁ ଜାରି କରାଯାଇଥିବା ବ୍ୟଙ୍ଗାତ୍ମକ ପୋଷ୍ଟରରେ ଶାହ କାଶ୍ମୀରୀ ଟୋପି ପିନ୍ଧିଥିବାର ଦେଖାଯାଇଛି, ପଛପଟରେ ଜାମା ମସଜିଦ ଅଛି। ଏହି ପୋଷ୍ଟରରେ ଶାହଙ୍କୁ ଫିଲ୍ମର ନିର୍ଦ୍ଦେଶକ ବୋଲି ଲେଖାଯାଇଛି। ଫିଲ୍ମରେ ରୋହିଂଗ୍ୟା, ବାଂଲାଦେଶୀ, ମୌଲବୀ, ମୌଲାନା, ଇମାମ, ୱାକଫ ବୋର୍ଡ ଚିତ୍ରିତ ହୋଇଥିବା ଲେଖାଯାଇଛି। ଫିଲ୍ମର ନିର୍ମାତା ‘ଲୋଟସ୍ ପ୍ରଡକ୍ସନ୍ସ’ ବୋଲି ଲେଖାଯାଇଛି। ଆପ୍ ଏହାର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ଏହି ‘ଚୁନାବୀ ମୁସଲମାନ’ ପୋଷ୍ଟରରେ ଲେଖାଯାଇଛି, ‘ଆପଣ କେବେ ଭାବିଛନ୍ତି କି, ବିଜେପି କେବଳ ନିର୍ବାଚନ ସମୟରେ ମୁସଲମାନମାନଙ୍କୁ କାହିଁକି ମନେ ପକାଏ?’

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ରହୁଥିବା ରୋହିଂଗ୍ୟା ମୁସଲିମ ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି। ଏମାନଙ୍କୁ ଦିଲ୍ଲୀରେ ଆଣି ବିଜେପି ରଖୁଥିବାବେଳେ ଆପକୁ କେବଳ ବଦନାମ କରୁଛି ବୋଲି ଶାସକ ଦଳ ଅଭିଯୋଗ କରୁଛି। ଅନ୍ୟପଟେ ରୋହିଂଗ୍ୟା ମୁସଲିମ ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆପ୍ ସରକାରୀ ଡକ୍ୟୁମେଣ୍ଟ ଦେଇ ଦିଲ୍ଲୀରେ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଛି ବୋଲି ବିଜେପି ଅଭିଯୋଗ କରୁଛି। ଏଭଳି ଆରୋପ ପ୍ରତ୍ୟାରୋପ ରାଜନୀତି ଭିତରେ ଦୁଇ ଦଳ ବିଭିନ୍ନ ବ୍ୟଙ୍ଗାତ୍ମକ ପୋଷ୍ଟର ଏଡିଟ୍ କରି ପରସ୍ପରକୁ ଟାର୍ଗେଟ କରୁଛନ୍ତି।

ad-week
Leave A Reply

Your email address will not be published.