ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

add-all

ଭୁବନେଶ୍ବର: ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ। ପ୍ରବାସୀ ଭାରତୀୟଙ୍କୁ ମଞ୍ଚ ଉପରେ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବ୍ୟବସାୟ ପାଇଁ ଓଡ଼ିଶା ଉପଯୁକ୍ତ ସ୍ଥାନ। ଏଠି ଅପର୍ଯ୍ୟାପ୍ତ ସୁଯୋଗ ରହିଛି। ତେଣୁ ଓଡ଼ିଶାର ବିକାଶରେ ପ୍ରବାସୀ ସାମିଲ୍ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେ ପୂର୍ବୋଦୟ ମିଶନର ଫୋକସରେ ରହିଛି ଓଡ଼ିଶା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଦ୍ରୁତଗତିରେ ହେଉଛି। ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ଚିଲିକା, ଗୋପାଳପୁର, ଶିମିଳିପାଳ ବୁଲନ୍ତୁ ଏବଂ ଓଡ଼ିଶା ବିଷୟରେ ଅଧିକ ଜାଣନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ପୁଞ୍ଜିନିବେଶ ପାଇଁ ପ୍ରବାସୀମାନେ ଓଡ଼ିଶାକୁ କାହିଁକି ପସନ୍ଦ କରିବେ, ତାହା ଦର୍ଶାଇବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଦେଶର ଦ୍ୱିତୀୟ ଖଣିଜ ପଦାର୍ଥ ବହୁଳରାଜ୍ୟ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଓଡ଼ିଶା ଦେଶର ସବୁଠୁ ଶାନ୍ତ ରାଜ୍ୟ। ସ୍ଥିର ସରକାର ଦେବାରେ ଓଡ଼ିଶାର ଇତିହାସ ଅଛି, ଯୋଗାଯୋଗ ପାଇଁ ଓଡ଼ିଶାରେ ଆକର୍ଷଣୀୟ ଭିତ୍ତିଭୂମି ଅଛି। ପର୍ଯ୍ୟାପ୍ତ ରେଳ, ବନ୍ଦର, ବିମାନ, ସଡ଼କ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ବିଶେଷ କରି ଶିଳ୍ପ ଉପଯୋଗୀ କୁଶଳୀ ଓ ଅଣକୁଶଳୀ ସମ୍ବଳ ଅଛି। ଆପଣମାନେ ପୁଞ୍ଜିନିବେଶ କରିବାକୁ ଯେଉଁସବୁ ଆବଶ୍ୟକତା ଅଛି, ସେ ସବୁ ଓଡ଼ିଶାରେ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ସେହିପରି ଭାରତ ବିଶ୍ୱରେ ପଞ୍ଚମ ସର୍ବବୃହତ ଅର୍ଥନୀତି ହୋଇଥିବାବେଳେ ଓଡ଼ିଶା ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ (୧ ଲକ୍ଷ ୫୦ ହଜାର) ଡଲାର ଅର୍ଥନୀତିରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଏବେଠାରୁ ମୂଳଦୁଆ ପଡ଼ିବ। ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ଆମେ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରିଛୁ। ତେଣୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ଅର୍ଥ ଭବିଷ୍ୟତ ପାଇଁ ନିବେଶ କରିବା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ।

ad-week
Leave A Reply

Your email address will not be published.