ସନାତନ ଧର୍ମର ପ୍ରଚାର ପାଇଁ ସାଇକେଲରେ ମାଲକାନଗିରିରୁ ପ୍ରୟାଗରାଜ ଯାତ୍ରା

add-all

ମାଲକାନଗିରି: ସନାତନ ଧର୍ମର ପ୍ରଚାର ପାଇଁ ଏକ ପ୍ରୟାସ କରୁଛନ୍ତି ମାଲକାନଗିରି ସହରର ସମାଜସେବୀ ଦିନେଶ ପଟ୍ଟନାୟକ। ସନାତନ ଧର୍ମର ପ୍ରଚାର ପ୍ରସାର ଏବଂ ହିନ୍ଦୁ ଧର୍ମର ନୀତି ଆଦର୍ଶକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ମାଲକାନଗିରିରୁ ପ୍ରୟାଗରାଜକୁ ସାଇକେଲରେ ଯାତ୍ରା ଆରମ୍ଭ କରିଛନ୍ତି।
ଦୀର୍ଘ ୧୧୦୦ କିଲୋମିଟର ଦୂରତା ୧୨ ଦିନରେ ସମାପ୍ତ କରିବେ ବୋଲି ସେ କହିଛନ୍ତି। ପ୍ରତିଦିନ ସେ ଶହେ କିଲୋମିଟର ଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତିନୋଟି ରାଜ୍ୟ ଦେଇ ସେ ପ୍ରୟାଗରାଜରେ ପହଞ୍ଚିବାର ଯୋଜନା ଥିବାବେଳେ ରାସ୍ତାରେ ସେ ଅନେକ ଲୋକଙ୍କ ସହ ସାକ୍ଷାତ କରିବା ସହ ସେମାନଙ୍କୁ ସନାତନ ଧର୍ମର ବିଶିଷ୍ଟତା ବୁଝାଇବେ।
୧୪୪ ବର୍ଷ ପରେ ପ୍ରୟାଗରାଜରେ ମହାକୁମ୍ଭମେଳା ହେଉଥିବାରୁ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି କହିଛନ୍ତି। ଏଥିସହ ଆସିଥିବା କୋଟି କୋଟି ସାଧୁଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବେ। ପ୍ରୟାଗରାଜରେ ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କର ସମାଗମ ହେବାର ଆଶା କରାଯାଇଥିବାରୁ ସେ ଏହି ମହାକୁମ୍ଭ ମେଳାର ଜଣେ ପ୍ରତ୍ୟକ୍ଷଦର୍ଶୀ ହେବାକୁ ଇଛା ପ୍ରକଟକରି ଏହି ଯାତ୍ରା ଆରମ୍ଭ କରିଥିବା ମଧ୍ୟ କହିଛନ୍ତି।
ଏହି ଦର୍ଶନ ତାଙ୍କ ପାଇଁ ପ୍ରଥମ ଏବଂ ଶେଷ ଦର୍ଶନ ହେବ। ଏହା ପୂର୍ବରୁ ସେ ମାଲକାନଗିରିରୁ ଅଯୋଧ୍ୟାର ଶ୍ରୀରାମ ମନ୍ଦିରକୁ ଚାଲି ଚାଲି ଯାଇଥିଲେ। ଆଜି ତାଙ୍କର ଯାତ୍ରା ମାଲକାନଗିରିରୁ ଆରମ୍ଭ ହେବା ବେଳେ ବହୁ ବୁଦ୍ଧିଜୀବୀ,ଜନସାଧାରଣ ଏବଂ ପ୍ରଶଂସକମାନେ ତାଙ୍କୁ ବିଦାୟ ଦେଇ ତାଙ୍କର ସଫଳତା କାମନା କରିଥିଲେ।

ad-week
Leave A Reply

Your email address will not be published.