ସରୋଜ ମୋ ସ୍ବାମୀ, ତାଙ୍କ ଦେଖାଶୁଣା ପାଇଁ ଜାମିନ ଜରୁରୀ: ହଂସିତା

add-all

ଭୁବନେଶ୍ୱର: ମୋ ସ୍ୱାମୀ ସରୋଜ ସାହୁ। ତାଙ୍କ ଦେହ ଖରାପ ଅଛି। ମୁଁ ତାଙ୍କର ଦେଖାଶୁଣା କରିବି। ତେଣୁ ମତେ ଜାମିନ ମିଳୁ। ଏଭଳି ଲେଖି ଅନ୍ତରୀଣ ଜାମିନ ପାଇଁ ହଂସିତା ଅଭିଲିପ୍ସାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍-୨(ଏଡିଜେଏମ୍‌-୨)ଙ୍କ କୋର୍ଟରେ ହଂସିତାଙ୍କ ଓକିଲ ଏଭଳି ଆବେଦନ କରିଛନ୍ତି।
ତେବେ ଏନେଇ ସରକାରୀ ଓକିଲ ମଧ୍ୟ ଆପତ୍ତି ଉଠାଇଛନ୍ତି। କୋର୍ଟଙ୍କୁ ଜାମିନ ନଦେବା ପାଇଁ ପୁଲିସ ପକ୍ଷରୁ ମଧ୍ୟ ତଥ୍ୟ ସମ୍ବନ୍ଧିତ ଆବେଦନ କରାଯାଇଛି।
ଜାନୁଆରି ୧୮ ତାରିଖକୁ ଜାମିନ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ସିଜର ଲିଷ୍ଟରେ ଅନିଲ ମହାନ୍ତି ସ୍ୱାମୀ ବୋଲି ହଂସିତା ଉଲ୍ଲେଖ କରିଥିଲେ । ଫଳରେ ଫରୱାର୍ଡ଼ିଂ ଲେଟରରେ ଇନଫୋସିଟି ପୁଲିସ ଅନିଲ ମହାନ୍ତିଙ୍କୁ ହଂସିତାଙ୍କ ସ୍ୱାମୀ ଦର୍ଶାଇ କୋର୍ଟ ଚାଲାଣ କରିଥିଲେ। ତେବେ ହଂସିତା ଏବେ ଜାମିନ ପାଇଁ ସରୋଜଙ୍କୁ ନିଜ ସ୍ୱାମୀ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିସନରେଟ୍‌ ପୁଲିସ ହଂସିତା ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲେ । ହଂସିତା ଗିରଫ ପରେ ଅନେକ ଗୁମର ଖୋଲିଥିଲେ । କମିସନରେଟ୍‌ ପୁଲିସ ଗିରଫ କରିଥିବା ହଂସିତା ଓ ଅନିଲଙ୍କ କଳା ସାମ୍ରାଜ୍ୟର ତଦନ୍ତ ଭାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନେଇଛି।
ଉଭୟଙ୍କ ସମ୍ପତ୍ତି ପରିମାଣ ଦେଖି ଆର୍ଥିକ କାରବାର ଓ କଳାଧନର ଉତ୍ସ ଖୋଜିବାକୁ ଇଡି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଅନିଲ ଓ ହଂସିତାଙ୍କ ବିରୋଧରେ ହୋଇଥିବା ଏତଲା କପି, ସମସ୍ତ ତଥ୍ୟ ଓ କାଗଜପତ୍ର କମିସନରେଟ ପୁଲିସ ଏବଂ ଆୟକର ବିଭାଗ ଠାରୁ ଇଡି ସଂଗ୍ରହ କରିଛି।

ad-week
Leave A Reply

Your email address will not be published.