ବାଲିଅନ୍ତାରେ ଆପାର୍ଟମେଣ୍ଟ ଲୁଟେରାର ଏନକାଉଣ୍ଟର କଲା ପୋଲିସ, ଏମ୍ସରେ ଭର୍ତ୍ତି

add-all

ଭୁବନେଶ୍ବର: କମିଶନରେଟ ପୋଲିସକୁ ଆଉ ଏକ ସଫଳତା। ରାଜଧାନୀରେ ପୋଲିସର ଏନକାଉଣ୍ଟର। ଏହା ସହିତ ଏକ ଆପାର୍ଟମେଣ୍ଟ ଲୁଟେରାକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର ହୋଇଛି। ରାଜ୍ୟ ବାହାରର ଲୁଟେରାକୁ ଏନକାଉଣ୍ଟର କରିଛି ପୋଲିସ। ଏନକାଉଣ୍ଟରରେ ଆହତ ହୋଇଛି ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେ। ଅର୍ଜୁନର ବାମ ପଟ ଆଣ୍ଠୁରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏମ୍ସ ସ୍ଥାନାନ୍ତର କରାଯାଇଛି।

ମଧ୍ୟପ୍ରଦେଶରୁ ଆସି ରାଜଧାନୀରେ ଲୁଟପାଟ୍ ଚଳାଇଥିଲା ଅର୍ଜୁନ। ଡକାୟତି ଗ୍ୟାଙ୍ଗରେ ମୋଟ ୫ ଜଣ ଥିଲେ। ଏନକାଉଣ୍ଟରରେ ଅର୍ଜୁନ ଆହତ ହୋଇଥିବା ବେଳେ ଗ୍ୟାଙ୍ଗର ଅନ୍ୟ ୪ ସଦସ୍ୟ ଫେରାର ହୋଇଯାଇଛନ୍ତି। ବାଲିଅନ୍ତା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଅର୍ଜୁନ ଆନାରେ ଓ ତାର ଗ୍ରୁପ ଆପାର୍ଟମେଣ୍ଟ ଲୁଟ୍ କରିବା ପାଇଁ ଯୋଜନା କରୁଥିବା ପୋଲିସ ଦେଖିବାକୁ ପାଇଥିଲା।

ପୋଲିସକୁ ଦେଖି ଅର୍ଜୁନ ସହ ତାଙ୍କ ଗ୍ରୁପ୍ ଫେରାର୍ ହେଉଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇଥିଲେ। ସେହି ସମୟରେ ବାଲିଅନ୍ତା କେନାଲ ବନ୍ଧ ଉପରେ ଅର୍ଜୁନ ପୋଲିସ ଉପରକୁ ଗୁଳି ମାଡ଼ କରିଥିଲା। ତେବେ ପୋଲିସ ମଧ୍ୟ ପାଲଟା ଜାବାବ ଦେଇଥିଲା। ଲୁଟେରାର ଆଣ୍ଠୁରେ ଗୁଳି ବାଜିଥିବା ବେଳେ ଆହତ ଅବସ୍ଥାରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆପାର୍ଟମେଣ୍ଟରୁ ମଧ୍ୟ ଚୋରି ହୋଇଥିଲା। ପୋଲିସ ଦୀର୍ଘ ୧୮ ଦିନର ତଦନ୍ତ ପରେ ରାଜ୍ୟ ବାହାରର ଜଣେ ଲୁଟେରାକୁ ଗିରଫ କରିଥିଲା। ଜାନୁଆରୀ ୨୫ ତାରିଖରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିବା ବେଳେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ‍ବିଶାଖାପାଟଣାରୁ ଗିରଫ କରିଥିଲା।

ad-week
Leave A Reply

Your email address will not be published.