କର୍ମଚାରୀଙ୍କୁ ୧୪ କୋଟି ଟଙ୍କା ବୋନସ୍‌

add-all

ନୂଆଦିଲ୍ଲୀ:  କୋଏମ୍ବାଟୁରର ଏକ ଏଆଇ ଷ୍ଟାର୍ଟଅପ୍‌ କମ୍ପାନୀ ବର୍ତ୍ତମାନ ବେଶ୍‌ ଚର୍ଚ୍ଚାରେ ରହିଛି। କୋଭାଇ.କୋ ନାମକ ଏହି କମ୍ପାନୀ ନିଜର ୧୪୦ଜଣ କର୍ମଚାରୀଙ୍କୁ ବୋନସ ବାବଦରେ ୧୪ କୋଟି ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ଏହି କମ୍ପାନୀ ବିବିସି, ବୋଇଂ ଓ ସେଲ୍‌ ଭଳି ବଡ଼ ସଂସ୍ଥାକୁ ସେବା ପ୍ରଦାନ କରି ଆସୁଛି। ଏହି କମ୍ପାନୀକୁ କୋଏମ୍ବାଟୁର ବାସିନ୍ଦା ଶ୍ରବଣ କୁମାର ୧୦ ବର୍ଷ ତଳେ ଆରମ୍ଭ କରିଥିଲେ। ସେ ୨୫ ବର୍ଷ ହେବ ଲଣ୍ଡନରେ ରହୁଛନ୍ତି। ଶ୍ରବଣ କୁମାରଙ୍କ କହିବାନୁଯାୟୀ ସେ ପ୍ରଥମେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ। ତେବେ ୧୦ ବର୍ଷ ତଳେ ନିଜସ୍ବ କମ୍ପାନୀ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ କମ୍ପାନୀ ବହୁ ନାମୀ ସଂସ୍ଥାର ଆବଶ୍ୟକତା ଅନୁଯାୟୀ ସଫ୍ଟୱେର ନିର୍ମାଣ କରିଥାଏ। ବର୍ତ୍ତମାନ ସମୟରେ କୋଭାଇ.କୋ କମ୍ପାନୀର ମୋଟ ସମ୍ପତ୍ତି ୧୦୦ ନିୟୁତ ଡଲାରରେ ପହଞ୍ଚିଛି। ନିଜର ୧୪୦ଜଣ କର୍ମଚାରୀଙ୍କୁ ୧୪ କୋଟି ଟଙ୍କା ବୋନସ ବାବଦରେ କାହିଁକି ପ୍ରଦାନ କଲେ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରବଣ କୁମାର କହିଥିଲେ ଧନୀ ହେବା ଲକ୍ଷ୍ୟ ନେଇ କର୍ମଚାରୀମାନେ ଷ୍ଟାର୍ଟଅପ୍‌ ସଂସ୍ଥାରେ କାମ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏକାଧିକ ଷ୍ଟାର୍ଟଅପ୍‌ ସଂସ୍ଥାରେ କର୍ମଚାରୀଙ୍କ ନାମରେ ସେୟାର ରହିଥାଏ। ତେବେ ଏହା କେବଳ କାଗଜରେ ସୀମିତ ରହିଥାଏ। ତାଙ୍କ କମ୍ପାନୀ ବେଶ୍‌ ଟଙ୍କା ରୋଜଗାର କରୁଥିବାରୁ କର୍ମଚାରୀଙ୍କୁ ନଗଦ ଆକାରରେ ମୋଟା ଅର୍ଥ ପ୍ରଦାନ କରିବାକୁ ସେ ନିଷ୍ପତ୍ତି ନେଇଥିଲେ। ତେଣୁ ତାଙ୍କ କମ୍ପାନୀରେ କାମ କରୁଥିବା ୧୪୦ଜଣ କର୍ମଚାରୀଙ୍କୁ ୧୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୨୫ ଜାନୁଆରୀରେ କର୍ମଚାରୀଙ୍କୁ ମୋଟା ଅଙ୍କର ବୋନସ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଯାହାକୁ ସେ ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.