ମହିଳା ଦିବସରେ ବ୍ରହ୍ମପୁର ଯିବେ ମୁଖ୍ୟମନ୍ତ୍ରୀ, ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

add-all

ଭୁବନେଶ୍ବର: ଆସନ୍ତା ୮ ତାରିଖ, ବିଶ୍ବ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବ୍ରହ୍ମପୁର ଗସ୍ତରେ ଯିବେ । ଉକ୍ତ ଦିନ ସୁଭଦ୍ରାର ଦ୍ବିତୀୟ କିସ୍ତି ମହିଳାମାନଙ୍କୁ ବଣ୍ଟା ଯିବାକୁ ଥିବା ବେଳେ ବ୍ରହ୍ମପୁର ସଭାରେ ଏହାର ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବ୍ରହ୍ମପୁର ସ୍ଥିତ ଆମ୍ବପୁଆ ବିବେକ ବିହାରଠାରେ ଆୟୋଜିତ ବିରାଟ ଜନସଭାରେ ଯୋଗଦେବେ ।

ତେବେ ଏବେ ପର୍ଯ୍ୟନ୍ତ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ବେଳେ, ୧ କୋଟି ଟପିସାରିଛି ଆବେଦନ ସଂଖ୍ୟା । ପ୍ରଥମ କିସ୍ତିର ୪ଟି ପର୍ଯ୍ୟାୟରେ ମୋଟ ୯୮ ଲକ୍ଷ ମହିଲାଙ୍କ ଖାତାକୁ ସୁଭଦ୍ରା ଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ଆଉ ଯେଉଁମାନେ ସୁଭଦ୍ରାରୁ ବଞ୍ଜିତ ଅଛନ୍ତି, ସେମାନଙ୍କୁ ଆସନ୍ତା ମାର୍ଚ୍ଚ ୬ରେ ପଞ୍ଚମ ପର୍ଯ୍ୟାୟରେ ପ୍ରଥମ କିସ୍ତି ମିଳିବ । ଏହା ପରେ ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି ଟଙ୍କା  । ଯେଉଁମାନେ ପ୍ରଥମ କିସ୍ତି ପାଇଥିବେ, ସେମାନଙ୍କୁ ହିଁ ଦ୍ବିତୀୟ କିସ୍ତି ମିଳିବ

ସୂଚନାଯୋଗ୍ୟ, ଗତବର୍ଷ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି ଯୋଜନାର ଶୁଭାରମ୍ଭ କରିବା ସହ ପ୍ରଥମ କିସ୍ତି ପ୍ରଦାନ କରିଥିଲେ । ଏହପରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳି ସାରିଛି। ଗତ ଫେବ୍ରୁଆରୀ ୮ ତାରିଖରେ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିଥିଲା । ଏହାକୁ ମିଶାଇ ରାଜ୍ୟବ୍ୟାପି ୯୮ ଲକ୍ଷ ୩୦ ହଜାର ୯୩୪ ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ମାର୍ଚ୍ଚ ୬ରେ ଆଉ ଏକ ଲକ୍ଷ  ୭୦ ହଜାର ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ମ କିସ୍ତି ଟଙ୍କା ମିଳିବା ପରେ ହିତାଧିକାରୀ ସଂଖ୍ୟା ଏକ କୋଟି ଛୁଇଁବ।। ଏହାପରେ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଦିନ ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ୫ ହଜାର ଲେଖାଏଁ ଦିଆଯିବ।

ad-week
Leave A Reply

Your email address will not be published.