ଭୋଟର ପରିଚୟପତ୍ର ସହିତ ସଂଯୋଗ ହେବ ଆଧାର କାର୍ଡ

add-all

ସମ୍ବଲପୁର: ଭୋଟର ପରିଚୟପତ୍ର ସହିତ ଆଧାର ନମ୍ବର ସଂଯୋଗ କରାଯିବ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମର୍ମରେ ବୁଧବାର ନିର୍ବାଚନ କମିଶନ ଓ ୟୁଆଇଡିଏଆଇ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସହମତି ପ୍ରକାଶ ପାଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ବିଶେଷଜ୍ଞମାନଙ୍କର ପରାମର୍ଶ ନିଆଯିବ। ବର୍ତ୍ତମାନର ପ୍ରଚଳିତ ଆଇନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୋଟର ପରିଚୟ ପତ୍ର ସହିତ ଆଧାର ଲିଙ୍କ କରାଯିବ। ତେବେ ଏହା ବାଧ୍ୟତାମୂଳକ ହେବ ନାହିଁ ଏବଂ ସମ୍ପୂର୍ଣ୍ଣ ଇଚ୍ଛାଧିନ ବୋଲି ନିର୍ବାଚନ କମିଶନ କହିଛନ୍ତି।
ସମ୍ବିଧାନର ଧାରା ୩୨୬ ଅନୁଯାୟୀ ମତଦାନର ଅଧିକାର କେବଳ ଭାରତୀୟ ନାଗରିକଙ୍କୁ ମିଳିଥାଏ। କିନ୍ତୁ ଆଧାର ହେଉଛି କେବଳ ଜଣେ ବ୍ୟକ୍ତିଙ୍କ ପରିଚୟ। ସେଥିପାଇଁ ନିଷତ୍ତି ନିଆଯାଇଛି ଯେ, ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବର ଲିଙ୍କ କରାଇବା ଲାଗି ସମସ୍ତ ଆଇନ ପାଳନ କରାଯିବ। ଭୋଟର ପରିଚୟ ପତ୍ର ସହିତ ଆଧାର ଲିଙ୍କ ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା, ପାରିଦର୍ଶିତାକୁ ପ୍ରୋତ୍ସାହିତ କରିବ। ଏଥିପାଇଁ ଆଗାମୀ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନିର୍ବାଚନ ପଞ୍ଜିକରଣ ଅଧିକାରୀ, ଜିଲା ନିର୍ବାଚନ ଅଧିକାରୀ ଓ ମୁଖ୍ୟ ନିର୍ବାଚନ ଅଧିକାରୀସ୍ତରରେ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ କମିଶନ ମଧ୍ୟ ଏହି ମାମଲାରେ ସମସ୍ତ ଜାତୀୟ ଓ ରାଜ୍ୟ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳଗୁଡ଼ିକଠାରୁ ଏପ୍ରିଲ ୩୦ ସୁଦ୍ଧା ଆବଶ୍ୟକ ପରାମର୍ଶ ମାଗିଛନ୍ତି। ଯେଉଁମାନେ ନିଜ ଭୋଟର ପରିଚୟ ପତ୍ରକୁ ଆଧାର ସହିତ ଯୋଡିବେ ନାହଁ ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯିବ ନାହିଁ ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.