ନୂଆଦିଲ୍ଲୀ: ସଂସଦର ଲୋକସଭା ଏବଂ ରାଜ୍ୟସଭାରେ ବହୁମତରେ ୱାକଫ (ସଂଶୋଧନ) ବିଲ୍ ପାରିତ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସାରା ଦେଶରେ ମୋଟ ୮.୮ ଲକ୍ଷ ୱାକଫ ସମ୍ପତ୍ତି ମଧ୍ୟରୁ ୭୩,୦୦୦ରୁ ଅଧିକ ସମ୍ପତ୍ତି ବିବାଦାଧୀନ ଅଛି। ନୂତନ ବିଲ୍ର ବ୍ୟବସ୍ଥାଗୁଡ଼ିକ ଏହି ସମ୍ପତ୍ତିଗୁଡ଼ିକ ଉପରେ ସିଧାସଳଖ ପ୍ରଭାବ ପକାଇପାରେ।
ସୂଚନାଯୋଗ୍ୟ, ୱାକଫ ଏକ ଇସଲାମିକ ପରମ୍ପରା ଯେଉଁଥିରେ ଜଣେ ମୁସଲମାନ ବ୍ୟକ୍ତି ନିଜର ସମ୍ପତ୍ତିକୁ ଧାର୍ମିକ, ସାମାଜିକ କିମ୍ବା ବ୍ୟକ୍ତିଗତ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥାନ୍ତି। ଏହି ସମ୍ପତ୍ତିର ମାଲିକାନା ପରମେଶ୍ୱର ଆଲ୍ଲାଙ୍କ ନାମରେ ରହିଥାଏ। ଏହାର ଲାଭ ନିର୍ଦ୍ଧାରଣ ଅନୁସାରେ ଲୋକଙ୍କୁ ମିଳିଥାଏ।
ଏହି ସମ୍ପତ୍ତିଗୁଡ଼ିକର ରେକର୍ଡ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ୱାକଫ୍ ସମ୍ପତ୍ତି ପରିଚାଳନା ପ୍ରଣାଳୀ(ଡବ୍ଲୁଏଏମଏସଆଇ) ରେ ରେକର୍ଡ କରାଯାଇଛି। ଯେଉଁଥିରେ ପରିଚାଳନା, ପ୍ରକାର ଏବଂ ବର୍ତ୍ତମାନର ସ୍ଥିତି ବିଷୟରେ ସୂଚନା ରହିଛି।
ଦେଶରେ ମୋଟ ୮.୮ ଲକ୍ଷ ୱାକଫ ସମ୍ପତ୍ତି ପଞ୍ଜିକୃତ ହୋଇଛି। ଯେଉଁଥିରୁ କେବଳ ଉତ୍ତର ପ୍ରଦେଶ ୨.୪ଲକ୍ଷ ସମ୍ପତ୍ତି ସହିତ ଆଗରେ ରହିଛି। ଏହା ପରେ ପଶ୍ଚିମବଙ୍ଗରେ ୮୦,୪୮୦ , ପଞ୍ଜାବରେ ୭୫,୫୧୧, ତାମିଲନାଡୁରେ ୬୬,୦୯୨ ଏବଂ କର୍ଣ୍ଣାଟକରେ ୬୫,୨୪୨ ସମ୍ପତ୍ତି ରହିଛି। ବିହାର ଏବଂ ଉତ୍ତର ପ୍ରଦେଶ ହେଉଛି ଦୁଇରାଜ୍ୟ ଯେଉଁଠାରେ ପୃଥକ ସୁନ୍ନି ଏବଂ ସିହା ୱାକଫ ବୋର୍ଡ ଅଛି। ଅନ୍ୟ ରାଜ୍ୟଗୁଡ଼ିକରେ ଏକୀକୃତ ୱାକଫ ବୋର୍ଡ ଅଛି।
ଏହି ସମ୍ପତ୍ତି ମଧ୍ୟରୁ ପ୍ରାୟ ୬.୨ଲକ୍ଷ ସମ୍ପତ୍ତି ହେଉଛି କବରସ୍ଥାନ, କୃଷି ଜମି, ମସଜିଦ, ଦୋକାନ କିମ୍ବା ଆବାସିକ ଘର। କେବଳ କବରସ୍ଥାନଗୁଡ଼ିକ ମୋଟ ୱାକଫ ସମ୍ପତ୍ତିର ୧୭.୩% ଅଟେ, ଯେତେବେଳେ କୃଷି ଜମି ୧୬% ଏବଂ ମସଜିଦ ୧୪% ଅଟେ।
ଡବ୍ଲୁଏଏମଏସଆଇ ଅନୁଯାୟୀ, ବିବାଦୀୟ ୱାକଫ ସମ୍ପତ୍ତିର ତିନୋଟି ପ୍ରମୁଖ ବର୍ଗ ଅଛି। ସେଗୁଡ଼ିକ ହେଉଛି ଜବରଦଖଲ ହୋଇଥିବା ଜମି, ମାମଲା ରୁଜୁ ହୋଇଥିବା ଜମି ଏବଂ ବେଆଇନ ଭାବରେ ସ୍ଥାନାନ୍ତରିତ ହୋଇଥିବା ଜମି।
ଜବରଦଖଲ ହୋଇଥିବା ସମ୍ପତ୍ତିଗୁଡ଼ିକ ବେଆଇନ ଭାବରେ ଅଧିକୃତ ହୋଇଛି।
ମକଦ୍ଦମା ଚାଲିଥିବା ସମ୍ପତ୍ତି ଦୁଇ ପ୍ରକାରର। ସେଥିମଧ୍ୟରୁ ବାହ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ଦାଏର କରାଯାଇଥିବା ଦେୱାନୀ ମାମଲା ଏବଂ ଆଭ୍ୟନ୍ତରୀଣ ୱାକଫ ବୋର୍ଡ ମଧ୍ୟରେ ଥିବା ବିବାଦିତ ଜମି।
ଏଲିଏନଏଟେଡ୍ ପ୍ରପର୍ଟି ହେଉଛି ଏପରି ପ୍ରପର୍ଟି ଯାହାକୁ ବେଆଇନ ଭାବରେ ସ୍ଥାନାନ୍ତର କରାଯାଇଛି ଏବଂ ଯାହା ଉପରେ ଆଇନଗତ ପ୍ରକ୍ରିୟା ଅଧିନରେ ରହିଛି।
ସର୍ବାଧିକ ସଂଖ୍ୟକ ବିବାଦୀୟ ୱାକଫ ସମ୍ପତ୍ତି ପଞ୍ଜାବରେ ଅଛି। ରାଜ୍ୟରେ ମୋଟ ୭୫,୫୧୧ ସମ୍ପତ୍ତି ମଧ୍ୟରୁ ୫୬.୫% ଜବରଦଖଲ ହୋଇଥିବା ଜଣାପଡିଛି। ଏହା ପରେ, ପଶ୍ଚିମବଙ୍ଗରେ ୩,୭୪୨ଟି ବିବାଦୀୟ ୱାକଫ ସମ୍ପତ୍ତି ଏବଂ ଉତ୍ତର ପ୍ରଦେଶରେ ୩,୦୪୪ଟି ବିବାଦୀୟ ସମ୍ପତ୍ତି ରହିଛି।
ନୂତନ ୱାକଫ (ସଂଶୋଧନ) ବିଲ୍ ୱାକଫ ସମ୍ପତ୍ତିର ପରିଚାଳନା, ରାଜ୍ୟ ୱାକଫ ବୋର୍ଡର ଗଠନ ଏବଂ ବିବାଦ ସମାଧାନରେ ରାଜ୍ୟ ସରକାରଙ୍କ ଭୂମିକାକୁ ପୁନଃପରିଭାଷିତ କରିବ। ଏହା ଅଧୀନରେ, ୱାକଫ ବିବାଦର ସମାଧାନ ପାଇଁ ଜଣେ ଜିଲ୍ଲା ଜଜ୍ ଏବଂ ଜଣେ ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଟ୍ରିବ୍ୟୁନାଲ ଗଠନ କରାଯିବ।
ସୂଚନାଯୋଗ୍ୟ, ଏହି ବିଲ୍ ଏପରି ସମୟରେ ଅଣାଯାଇଥିଲା ଯେତେବେଳେ ବାବ୍ରୀ ମସଜିଦ ଭଳି ଐତିହାସିକ ୱାକଫ ସମ୍ପତ୍ତିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଚାଲିଥିଲା। ୨୦୧୯ ମସିହାରେ ସୁପ୍ରିମକୋର୍ଟ ଏହାର ସମାଧାନ କରିଥିଲେ। ଯାହା ପରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା।
