ଭୁବନେଶ୍ବର: ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଛି । ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଶିଶୁକୁ ଝାମ୍ପି ନେଲେ ଦୁର୍ବୃତ୍ତ । ରାମ ମନ୍ଦିର ପାଖରୁ ରାତି ୩ଟା ବେଳେ ଦୁର୍ବୃତ୍ତ ମାନେ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ଦୃଷ୍ଟିବାଧିତ ମାଆ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଖାରାବେଳ ନଗର ଥାନା ପୋଲିସ ।
ମାଆର ଅଭିଯୋଗ ଅନୁସାରେ, ସେ ପୂର୍ବରୁ ଅନେକ ଦିନ ଧରି ରାମ ମନ୍ଦିର ଆଗରେ ବସି ଭିକ୍ଷାବୃତ୍ତି କରିଆସୁଥିଲେ । ହଠାତ୍ ଶନିବାର ରାତି ୧୨ଟାରୁ ୨ଟା ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଉକ୍ତ ମହିଳା ଓ ତାଙ୍କର ଦେଢ଼ ବର୍ଷର ଶିଶୁ ପୁତ୍ର ଉପରେ ନଜର ରଖିଥିଲା । ତାପରେ ବ୍ୟକ୍ତି ଜଣକ ପାଖକୁ ଆସି ଛୁଆଟିକୁ ଖାଇବାକୁ ଦେବା ସହ ଜୁସ୍ ଦେଇ ଲୋଭ ଦେଖାଇଥିଲା ଏହା ପରେ ମୋବାଇଲ୍ ଫୋନ ଦେଖାଇ ପିଲାକୁ ଅପହରଣ କରିଥିଲା । ତେବେ ଅଙ୍ଗ ତସ୍କରି ପାଇଁ ପିଲାଟିକୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ମାଆ । ଏହା ସହ ପିଲାକୁ ତୁରନ୍ତ ଖୋଜି ଆଣି ତାଙ୍କ ନିକଟରେ ଦେବାକୁ ପିଲାର ମାଆ ଗଣମାଧ୍ୟମ ଆଗରେ ଅନୁରୋଧ କରିଛନ୍ତି ।
ମାଆର ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେଠାରେ ବସି ଭିକ୍ଷାବୃତ୍ତି କରୁଥିବା ଅନ୍ୟ ଲୋକଙ୍କୁ ପଚରାଉଚରା କରିଥିଲା ପୋଲିସ । ଏହାପରେ ଘଟଣାସ୍ଥଳ ଓ ଆଖପାଖର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଥିଲା ପୋଲିସ । ଏହାପରେ ପୋଲିସର ଏକ ଟିମ୍ ଶିଶୁଟିକୁ ତାର ମାଆ ପାଖକୁ ଫେରାଇ ଆଣିବା ସହ ଅଭିଯୁକ୍ତକୁ ଧରିବା ନେଇ ଛାନଭିନ୍ ଆରମ୍ଭ କରିଦେଇଛନ୍ତି ।
