ପୁରୀ: ପରମ୍ପରା ଅନୁଯାୟୀ ଗତକାଲି ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବର୍ଷ ସାରା ବୁଡ଼ି ରହିଥିବା ନନ୍ଦା ଓ ଭଦ୍ରା ଚାପ ଡଙ୍ଗା ସମେତ ଅନ୍ୟ ଡଙ୍ଗାକୁ ଭୋଇ ସେବାୟତ ବାହାର କରିଛନ୍ତି । ପରମ୍ପରା ଅନୁସାରେ ଗତବର୍ଷ ଚାପର ହଳଦୀ ପାଣି ନୀତି ପରେ ନରେନ୍ଦ୍ର ପୁଷ୍କରିଣୀରେ ବୁଡାଇ ଦିଆଯାଇଥିବା ନନ୍ଦା, ଭଦ୍ରା ଚାପର ୪ଟି ଓ ବୈଜୟନ୍ତୀ ଚାପ ଡଙ୍ଗାକୁ ଚୈତ୍ର ପୂର୍ଣ୍ଣମୀରେ ପାଣି ଭିତରୁ ବାହାର କରାଯାଇଛି ।
୨୮ ଜଣ ଭୋଇ ସେବକ ଅତି ସତର୍କତା ଓ କଠିନ ପରିଶ୍ରମ କରି ଗୋଟିଏ ପରେ ଗୋଟିଏ ଡଙ୍ଗା ବାହାର କରି ଏହାକୁ ସଜାଇ ରଖିଥିଲେ । ଆସନ୍ତା ଏପ୍ରିଲ ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପାଳନ ହେବାକୁ ଯାଉଛି । ଏହି ଦିନ ରଥ ନିର୍ମାଣ ଶୁଭାରମ୍ଭ ସହ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ । ମହାପ୍ରଭୁ ନରେନ୍ଦ୍ର ସରୋବରରେ ୨୧ ଦିନ ବ୍ୟାପୀ ଜଳକ୍ରୀଡା କରିବେ । ଗତକାଲି ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଥିବା ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ଭୋଇ ସେବକମାନେ ବାହାର କରିିଛନ୍ତି । ମହାରଣା ସେବକମାନେ ଏହାକୁ ମରାମତି କରିବା ପରେ ଚାପ ଡଙ୍ଗା ଗୁଡ଼ିକ ପ୍ରସ୍ତୁତ ହେବ ।
ସେପଟେ ଚନ୍ଦନ ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତକାଲି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବକ ନନ୍ଦା, ଭଦ୍ରା ଓ ବୈଜୟନ୍ତରୀ ସମୁଦାୟ ୫ଟି ଡଙ୍ଗାକୁ ପାଣି ଭିତରୁ କାଢ଼ିଛନ୍ତି । ଏହି ଡଙ୍ଗା ଗୁଡିକୁ ଖରାରେ ଶୁଖାଯିବା ପରେ ପିଚୁ ରାଳ ଦିଆଯାଇ ମରାମତି କରାଯିବ ।
