ଭୁବନେଶ୍ବର: ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡି ଜିଲ୍ଲା ସଭାପତି । ଏନେଇ ସୂଚନା ଦେଇଛନ୍ତି ବିଜେଡିର ବିଧାୟକ ପ୍ରତାପ କେଶରୀ ଦେବ। ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ ୧୬ ଜିଲ୍ଲାର ନାମାଙ୍କନ ଆସିଛି। ୧୬ ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ ନାମାଙ୍କନ ଭରି ଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ସୂଚନାମୁତାବକ, ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ । ସେହିପରି ସୁନ୍ଦରଗଡ଼ ଜିଲ୍ଲା ପାଇଁ ନାମାଙ୍କନ ଭରିଛନ୍ତି ବିଧାୟକ ଯୋଗେଶ ସିଂ । ଅନୁଗୁଳୁ ବିଜେଡି ଜିଲ୍ଲା ସଭାପତି ପାଇଁ ତାଳଚେର ବିଧାୟକ ବ୍ରଜ ପ୍ରଧାନ ନାମାଙ୍କନ ଭରିଛନ୍ତି । ପୂର୍ବତନ ବିଜେଡି ବିଧାୟକ ମାନସ ମାଡକାମୀ ମାଲକାନଗିରି ଜିଲ୍ଲା ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ।
ଜଗତସିଂହପୁର ବିଜେଡି ଜିଲ୍ଲା ସଭାପତି ପାଇଁ ପୁଣିଥରେ ନାମଙ୍କନ ଭରିଛନ୍ତି ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି । ସେ କହିଛନ୍ତି, ଆଗକୁ ବିଜେଡି କର୍ମୀମାନଙ୍କୁ ସଂଗଠିତ କରିବୁ କର୍ମୀମାନଙ୍କ ଭୂମିକା ଅନନ୍ୟ । ବିଜେଡି ଏକ ସଂଘର୍ଷରୁ ଜନ୍ମ ନେଇଛି । ବିଜେଡି ରାଜ୍ୟ ପାଇଁ ଅନେକ କାର୍ଯ୍ୟ କରୁଛି । ଆମେ ବିରୋଧୀ ଦଳ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସବୁବେଳେ ଲଢେଇ କରୁଥିଲୁ । ଆଗକୁ ମଧ୍ୟ ଏ ଲଢେଇ ଜାରି ରହିବ ।
ଦଳ ପକ୍ଷରୁ କୁହାଯାଇଛି, ପଞ୍ଚମ ପର୍ଯ୍ୟାୟରେ ଷ୍ଟେଟ କାଉନସିଲ ଓ ଷଷ୍ଠ ପର୍ଯ୍ୟାୟରେ ଷ୍ଟେଟ ଏକଜିକ୍ୟୁଟିଭ ନିର୍ବାଚନ ହେବ । ଯେଉଁଥିରେ ରାଜ୍ୟ ସଭାପତି ନିର୍ବାଚନ ହେବ । ଏହା ପରେ ଅନ୍ୟ ପଦ ପାଇଁ ନିର୍ବାଚନ ହେବା ସହ ବ୍ଲକ, ପୌର ସଭାପତି ନିର୍ବାଚନ ହେବ । ଯୁବ, ଛାତ୍ର ଓ ମହିଳା ସଭାପତି ନିର୍ବାଚନ ବି ରାଜ୍ୟ ସଭାପତିଙ୍କ ଅନୁମୋଦନରେ ହେବ ।
