ବାଙ୍କୀ : ସ୍ୱାମୀର ବର୍ବର କାଣ୍ଡ । ଭୁଲିଗଲା ମଣିଷତ୍ଵ ସାଜିଲା ସଇତାନ୍ । ସ୍ତ୍ରୀର ରକ୍ତରେ ହୋଲି ଖେଳିବ ବୋଲି ରଚିଥିଲା ଷଡଯନ୍ତ୍ର । ହେଲେ ମଝିରେ ଆସିଗଲା କୁନି ଝିଅ । ସମସ୍ତଙ୍କ ଆଗରେ ସ୍ତ୍ରୀକୁ ଜୀବନରୁ ମାରିବାକୁ ଉଦ୍ୟମ କଲାବେଳେ ଝିଅ ମୁଣ୍ଡରେ ବାଜିଲା ଚୋଟ ।
ମାଆ ସମ୍ମୁଖରେ ତିନି ବର୍ଷର ଝିଅକୁ ଅତର୍କିତ ଆକ୍ରମଣ । ଆକ୍ରମଣ କଲା ନିଜ ବାପା । ଅଭିଯୋଗ ପରେ ଏବେ ବାପାକୁ ଗିରଫ କରିଛି ପୋଲିସ୍ । ତା ସହିତ ଆକ୍ରମଣରେ ବ୍ୟବହୃତ କଟୁରୀକୁ ଜବତ କରିଛି ପୋଲିସ୍ । ପାରିବାରିକ କଳହର କରୁଣ ପରିଣତି । ପତି ପତ୍ନୀଙ୍କ କଳିରେ ବଳି ପଡ଼ିଗଲା ତିନି ବର୍ଷର କୁନି ଝିଅ ।
ଖବର ମୁତାବକ, ବୈଦେଶ୍ୱର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ପୁରୁଣାପାଣି ଗ୍ରାମର ବାଙ୍କ ନିଧି ପଣ୍ଡା ନିକଟସ୍ଥ ଚଢ଼େଇବନ୍ଧ ଗ୍ରାମର ଲକ୍ଷ୍ମୀପ୍ରିୟାଙ୍କୁ ଚାରି ବର୍ଷ ତଳେ ବିବାହ କରିଥିଲେ । ହେଲେ ପ୍ରାୟତଃ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିରହେ । ଯେଉଁଥି ପାଇଁ ଲକ୍ଷ୍ମୀପ୍ରିୟା କିଛି ଦିନ ହେବ ନିଜ ଶ୍ଵଶୁର ଘରେ ନ ରହି ବାପ ଘରେ ଆସି ରହୁଥିଲେ ।
ତେବେ ଲକ୍ଷ୍ମୀପ୍ରିୟା ଗତ ଶନିବାର ଦିନ କଳାପଥର ଡାକ୍ତରଖନାକୁ ଚିକିତ୍ସା ପାଇଁ ଦୁଇ ସନ୍ତାନକୁ ଧରି ଆସିଥିଲେ । ଏନେଇ ଖବର ପାଇ ସ୍ୱାମୀ ବାଙ୍କନିଧି ଡାକ୍ତରଖାନାରେ କଟୁରୀ ଧରି ଆସି ପହଁଚିଥିଲା । ନିଜ ପିଲାଙ୍କୁ ନେଇ ଯିବାକୁ ଚେଷ୍ଟା କରୁଥିବାବେଳେ, ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପିଲାଙ୍କୁ ନଦେବାରୁ ବାଙ୍କନିଧି ହଠାତ୍ କଟୁରୀରେ ଅତର୍କିତ ଆକ୍ରମଣ କରିଥିଲା । ଲକ୍ଷ୍ମୀପ୍ରିୟାଙ୍କ ଦେହରେ ନ ବାଜି କୋଳରେ ଥିବା ଝିଅ ମୁଣ୍ଡରେ ଯାଇ ସିଧା ବାଜିଥିଲା ଚୋଟ । ଯାହାଫଳରେ କୁନି ଝିଅଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।
ସଙ୍ଗେ ସଙ୍ଗେ ଝିଅକୁ ଚିକିତ୍ସା କରାଯାଇଥିବାବେଳେ, ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚିବାବେଳକୁ ବାଙ୍କନିଧି ଫେରାର ହୋଇଯାଇଥିଲା । ତେବେ ଗତକାଲି ଭୋର ସମୟରେ ବାଙ୍କନିଧି କୁ ପୋଲିସ୍ ଧରି ଆଣି ଗିରଫ କରି କୋର୍ଟ ଚାଲାଣ କରିଛି । ଝିଅକୁ ଆକ୍ରମଣ କରିଥିବା ଧାରୁଆ ଅସ୍ତ୍ର କୁ ଜବତ କରାଯାଇଥିବା ବୈଦେଶ୍ୱର ଥାନା ଆଇଆଇସି, ସୂଚନା ଦେଇଛନ୍ତି।
ଦୁନିଆ ଯେତେ ଯେତେ ଆଗକୁ ଯାଉଛି ଲୋକଙ୍କ ବୁଦ୍ଧି ସେତିକି କମି କମି ଯାଉଛି । ଏବେ ଲୋକମାନେ ନିଜ ପରିବାର ପ୍ରତି ବି ମୋହ ମାୟା ଦେଖାଉନାହାନ୍ତି । ପାରିବାରିକ କଳହର ସମାଧାନ କରିବା ପରିବର୍ତେ ନିଜର ଲୋକଟିର ଜୀବନ ନେବାକୁ ଆଗେଇ ଆସୁଛନ୍ତି । ଯାହା ଏ ସମାଜ ପାଇଁ ବିପଦ ।
