କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀଙ୍କ ଆଖବୁଜା ଗୁଳିମାଡ଼ରେ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କାରହିଛି । ବାଲେଶ୍ବର ଜିଲ୍ଲାର ଜଣେ ପର୍ଯ୍ୟଟକଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଛି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାଁଓ ଅଞ୍ଚଳରେ ହୋଇଛି ଆତଙ୍କବାଦୀ ଆକ୍ରମଣ। ପର୍ଯ୍ୟଟକମାନେ ଏକ ବଜାରରେ ଥିବା ବେଳେ ହଠାତ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ।
ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଏହି ଘଟଣାରେ ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହାକୁ କାପୁରୁଷଙ୍କ କାମ ବୋଲି କହିଛନ୍ତି। ଆତଙ୍କବାଦୀ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କ ସହ ଆଲୋଚନା ପରେ ଶ୍ରୀନଗର ରେ ପହଂଚିଛନ୍ତି ଶାହ। ହେଲ୍ପ ଲାଇନ ନମ୍ବର ଜାରି କରିଛି ଅନନ୍ତନାଗ ପୋଲିସ । ହେଲ୍ପ ଲାଇନ ନମ୍ବର- 9596777669/01932225870 ରେ ଯୋଗାଯୋଗ କରିପାରିବେ ।
ଜମ୍ମୁ କଶ୍ମୀରର ପହଲଗାମରେ ଆଜି ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଜଣେ ଓଡ଼ିଆ ପର୍ଯ୍ୟଟକ ମୃତ୍ୟୁ ବରଂ କରିଛନ୍ତି । ମୃତକ ହେଉଛନ୍ତି ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦିଅର ପ୍ରଶାନ୍ତ ଶତପଥୀ । ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ସେ । ସେ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ଆଜି ସେଠାରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ଜମ୍ମୁ କଶ୍ମୀର ଅନନ୍ତନାଗ ପୁଲିସ ସ୍ପଷ୍ଟ କରିଛି।
