ନୂଆଦିଲ୍ଲୀ: ପୁଲୱାମା ପରେ ପହଲଗାମ୍… ୨୦୧୯ ପରେ ୨୦୨୫… ସେବେ ଯବାନ ଏବେ ଜନତା । ସେବେ ଆତ୍ମଘାତୀ ବିସ୍ଫୋରଣ ଏବଂ ଆଖିବୁଜା ଗୁଳିଚାଳନା । ହତ୍ୟାର ତରିକା ସିନା ଭିନ୍ନଭିନ୍ନ ହେଲେ ଆତଙ୍କୀଙ୍କ ଲକ୍ଷ୍ୟ କିନ୍ତୁ ସମାନ । ହତ୍ୟା କରିବେ ଆଉ ଜୀବନ ନେବେ । ପୁଲୱାମା ଆକ୍ରମଣରେ ୪୦ରୁ ଅଧିକ ଯବାନଙ୍କ ପ୍ରାଣହାନୀ ହୋଇଥିବା ବେଳେ ଏଥର କିନ୍ତୁ ସୀମାପାର କରିଛି ଆତଙ୍କୀଙ୍କ ବର୍ବରତା ।
କାଶ୍ମୀର ବୁଲିବାକୁ ଆସିଥିବା ନିରୀହ ସାଧାରଣ ପର୍ଯ୍ୟଟକଙ୍କୁ ଅନ୍ଧାଧୂନ ଗୁଳିମାଡ କରି ଜୀବନ ନେଇଛନ୍ତି ସୈତାନ ଆତଙ୍କୀ । ପହଲଗାମରେ ପ୍ରକୃତିର ମଜା ନେଉଥିବା ବେଳେ ଏମାନଙ୍କ ଉପରେ ଆକ୍ରମଣ ହୋଇଛି । ଆଉ ଏହି ହମଲାରେ ଏଯାଏଁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲୱାମା ଆକ୍ରମଣ ପରେ ଏହା ସବୁଠାରୁ ଛାତିଥରା ଆକ୍ରମଣ ବୋଲି କୁହାଯାଉଛି ।
କାରଣ ଏଠି ଆତଙ୍କୀମାନେ ଧର୍ମ ନାଁରେ ଧାରଧାର ରକ୍ତ ବୁହାଇ ଦେଇଛନ୍ତି । ଧର୍ମ ପଚାରି ଗୁଳିମାଡ କରିଛନ୍ତି ଆଉ ନିର୍ମମ ହତ୍ୟା କରିଛନ୍ତି । କାହାକୁ ତା ସ୍ତ୍ରୀ ଆଗରେ ମାରିଛନ୍ତି ତ କାହାକୁ ତା ପିଲା ଆଗରେ । ବୁଢା ବାପା ମାଆ ଆଗରେ ବି ଚାଲିଯାଇଛି ଭେଣ୍ଡିଆ ଯବାନ ପୁଅର ଜୀବନ । ବୁଲାବୁଲି ପାଇଁ ଆସିଥିବା ଲୋକ ଏକ ଭୟ ଆତଙ୍କ ସ୍ମୃତି ନେଇଫେରିଛନ୍ତି ।
ତେବେ ନଜର ପକାନ୍ତୁ କେବେ କେଉଁଠି ହୋଇଛି ଆତଙ୍କୀ ଆକ୍ରମଣ ?
-୨୦୨୪ ନଭେମ୍ବର ୪ରେ ଶ୍ରୀନଗର ଲାଲ ଚୌକରେ ଗ୍ରେନେଡ୍ ମାଡରେ ୧୪ ଆହତ ହୋଇଥିଲେ
-୨୦୨୪ ଜୁଲାଇ ୯ରେ କାଠୁଆରେ ଆର୍ମି କନଭେ ଉପରେ ହମଲାରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା
-୨୦୨୩ ଜାନୁଆରୀ ୧ରେ ରଜୌରୀରେ ଲୋକଙ୍କ ଉପରେ ହମଲା- ୪ ମୃତ
-୨୦୨୩ ଏପ୍ରିଲ ୨୦ରେ ପୁଞ୍ଚରେ ଯବାନଙ୍କ ଗାଡି ଉପରେ ହମଲା- ୫ ମୃତ
-୨୦୨୩ ଡିସେମ୍ବର ୨୧ରେ ରଜୌରୀରେ ଆଇଡି ବିସ୍ଫୋରଣରେ ୫ ମୃତ
-୨୦୨୨ ଅଗଷ୍ଟ ୧୧ରେ ରଜୌରୀରେ ଆତ୍ମଘାତୀ ବିସ୍ଫୋରଣରେ ୫ ମୃତ
-୨୦୨୧ ଡିସେମ୍ବର ୧୨ରେ ଶ୍ରୀନଗରରେ ପୋଲିସ ଗାଡ଼ି ଉପରେ ଆକ୍ରମଣ- ୩ ମୃତ
-୨୦୨୦ ଅକ୍ଟୋବର ୨୯ରେ ବିଜେପି କର୍ମୀଙ୍କୁ ଆକ୍ରମଣ, ୩ ମୃତ
