ଓପିଏସସି ଓ ଓଏସଏସସି ପରୀକ୍ଷାରେ ତୃଟି ମାମଲା; ପ୍ରତିକ୍ରିୟା ରଖିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ଓପିଏସସି ଓ ଓଏସଏସସି ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି, ଏହି ଘଟଣାର ସଂପୃକ୍ତ ବିଭାଗ ତଦନ୍ତ କରିବ । ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ । ଯିଏ କେହି ବି ଦୋଷୀ ଥିବେ ତାଙ୍କୁ ଛଡ଼ାଯିବ ନାହିଁ । ଏହାଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ଏସଂକ୍ରାନ୍ତୀୟ ବିଲ୍‌ ବିଧାନସଭାରେ ଆଇନରେ ପରିଣତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରବିବାର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସଏସସି) ପକ୍ଷରୁ ୨୧ଟି ଏସଆଇ ଟ୍ରାଫିକ ପଦବି (ଗ୍ରୁପ୍‌ ବି), ୧୦ଟି ଏସଆଇ ଏକ୍ସାଇଜ୍ ପଦବି (ଗ୍ରୁପ୍ ସି) ପାଇଁ ମିଳିତ ଲିଖିତ ପରୀକ୍ଷା ଥିଲା । ହେଲେ ଏଥିରେ ଯେଉଁ ସବୁ ବିଷୟରେ ପ୍ରଶ୍ନ ଆସିବା କଥା ନଆସି ଅନ୍ୟ ବିଷୟରେ ପ୍ରଶ୍ନ ପଡ଼ିଥିଲା । ଯାହାକୁ ନେଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା ।

ଏହାପରେ ପରୀକ୍ଷାର୍ଥୀମାନେ କହିଛନ୍ତି ଯେ, ପୂର୍ବରୁ ନିଯୁକ୍ତି ନେଇ ଯେତେବେଳେ ବିଜ୍ଞାପନ ବାହାରିଥିଲା, ସେଥିରେ ଯେଉଁସବୁ ବିଷୟ ଉପରେ ପ୍ରଶ୍ନପତ୍ର ପଡ଼ିବ ବୋଲି ପାଠ୍ୟକ୍ରମ ଜରିଆରେ କୁହାଯାଇଥିଲା ତାହା ଆଜିର ପରୀକ୍ଷାରେ ଦେଖିବାକୁ ମିଳିନଥିଲା ।

ପରୀକ୍ଷାରେ ବିଭ୍ରାଟ ହେବା ଜାଣିବା ପରେ ଓଏସଏସ୍‌ସି ପକ୍ଷରୁ ଏକ ସୂଚନା ଜାରି କରି କୁହାଯାଇଛି ଯେ, ଆଜି ବିଭିନ୍ନ ପଦବିର ମିଳିତ ନିଯୁକ୍ତି ପରୀକ୍ଷାର (ମୁଖ୍ୟ) ପ୍ରଶ୍ନପତ୍ରରେ ପାଠ୍ୟକ୍ରମର କିଛି ଅଂଶରୁ ପ୍ରଶ୍ନ ପଚରାଯାଇନଥିଲା । ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କରୁଛନ୍ତି ଏବଂ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ପ୍ରତିବଦ୍ଧ । ଅବଶିଷ୍ଟ ଅଂଶ ଯଥା ସାଧାରଣ ଇଂରାଜୀ, ଓଡ଼ିଆ ଭାଷା, ସାଧାରଣ ଅଧ୍ୟୟନର କିଛି ଅଂଶକୁ ଅନ୍ତର୍ଭୁକ୍ତ କରି ଆଉ ଏକ ପରୀକ୍ଷା କରିବାର ବିକଳ୍ପ ଉପରେ ଆୟୋଗ ବିଚାର କରୁଛନ୍ତି ।

ସେହିପରି, ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ (ଓପିଏସସି) ପକ୍ଷରୁ ଆୟୋଜିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ମଧ୍ୟ ତୃଟି ଦେଖାଦେଇଥିଲା । ଆନ୍ଥ୍ରୋପୋଲଜିର ପେପର୍‌-୧ ଓ ପେପର୍‌-୨ ପ୍ରଶ୍ନପତ୍ର ଅଦଳବଦଳ ହୋଇଯାଇଥିଲା । ପେପର୍-୧ ପ୍ରଶ୍ନପତ୍ର ଖୋଲିବା ପରେ ଏଥିରେ ପେପର-୨ ବିଷୟବସ୍ତୁ ଆଧାରିତ ପ୍ରଶ୍ନ ରହିଥିଲା ଏବଂ ପେପର୍‌-୨ରେ ପେପର-୧ର ବିଷୟବସ୍ତୁ ଆଧାରିତ ପ୍ରଶ୍ନପତ୍ର ରହିଥିବା ଦେଖିବାକୁ ମିଳିଥିଲା । ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

nis-ad
Leave A Reply

Your email address will not be published.