ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ

add-all

ଭୁବନେଶ୍ୱର: ବାଙ୍ଗିରିପୋଷି-ପୁରୀ ଇଣ୍ଟରସିଟି ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍‌ରେ ଏଲଏଚବି କୋଚ୍‌‌ର ଶୁଭାରମ୍ଭ ହୋଇଛି। ସୋମବାର ଠାରୁ ଆରମ୍ଭ ହୋଇଛି ଏହି ଟ୍ରେନ। ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଁସଦାଙ୍କ ଉପସ୍ଥିତିରେ ବାଙ୍ଗିରିପୋଷି ରେଳ ଷ୍ଟେସନ ଠାରେ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବାଙ୍ଗିରିପୋଷି-ପୁରୀ ଦୈନିକ ଚଳାଚଳ କରୁଥିବା ଉକ୍ତ ଟ୍ରେନ୍‌ ଉପରେ ମୟୂରଭଞ୍ଜ ଜିଲ୍ଲା ସମେତ ବାଲେଶ୍ଵର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାର ଅନେକ ଲୋକେ ନିର୍ଭରଶୀଳ ରହିଥାନ୍ତି। ଏଥିରେ ଏକ ଏସି ବଗି ସୁବିଧା ନଥିବା ବେଳେ ଏନେଇ ବାରମ୍ବାର ଦାବି ହେଉଥିଲା। ଏନେଇ ନିକଟ ଅତୀତରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଲିଖିତ ଅନୁରୋଧ କରିଥିଲେ। ଯାହାକୁ ଦୃଷ୍ଟିରେ ରଖି ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୯୧ ଓ ୧୨୮୯୨) ରେ ଅତ୍ୟାଧୁନିକ ଏଲଏଚବି ବଗି ବ୍ୟବସ୍ଥା ଆରମ୍ଭ ହେଉଛି।

ଏଥିରେ ସମୁଦାୟ ୧୩ଟି ଏଲଏଚବି କୋଚ ଥିବା ବେଳେ ଗୋଟିଏ ଏସସି ଚେୟାର କାର ରହିଛି। ପୂର୍ବାହ୍ନ ୯ଟାରେ ଲୋକାର୍ପଣ କାର୍ଯ୍ୟକ୍ରମ ପରେ ରୁପ୍ସା ପର୍ଯ୍ୟନ୍ତ ଯିବ। ମଙ୍ଗଳବାର ଭୋରରୁ ନିୟମିତ ଭାବେ ଏଲଏଚବି କୋଚ ଚଳାଚଳ କରିବ। ଆଧୁନିକ କୋଚ ଦ୍ୱାରା ଟ୍ରେନ୍‌ର ଗତି ୧୩୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟ କୋଚ୍ ଅପେକ୍ଷା ଅଧିକ ସୁରକ୍ଷିତ ହେବା ସହ ପୂର୍ବାପେକ୍ଷା ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରିପାରିବେ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.