ଭୁବନେଶ୍ବର: ରାସନ କାର୍ଡକୁ ନେଇ ସୋମବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି । ଓଡିଶାରେ ରହି ରାସନ କାର୍ଡ ହାତେଇଥିବା ସମସ୍ତ ବିଦେଶୀଙ୍କ ନାଁ କଟାଯିବ । ସେମାନଙ୍କର ଭୋଟର କାର୍ଡ ଏବଂ ଆଧାର କାର୍ଡ ମଧ୍ୟ ରହିଛି । ସେମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।
ସୋମବାର ଖାଦ୍ୟ ଯୋଗାଣ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାସନ କାର୍ଡ ପାଇଥିବା ବିଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡ ତାଲିକାରୁ ନାମ କାଟିବାକୁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି ।
ପାକିସ୍ଥାନୀ, ବାଲାଂଦେଶୀ,ମିଆଁମାରର ନାଗରିକ ଓଡ଼ିଶାରେ ଅନୁପ୍ରବେଶ କରି ସମସ୍ତ ସରକାର ସୁବିଧା ହାସଲ କରିଛନ୍ତି । ସେମାନଙ୍କୁ ଚିହ୍ନଟ କରି ସେମାନଙ୍କର ରାସନ କାର୍ଡ କଟିବାପରେ ପ୍ରକୃତ ରାସନ କାର୍ଡ ହିତାଧିକାରୀଙ୍କ ସଂଖ୍ୟା ଜଣାପଡ଼ିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଘଟଣାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାକିସ୍ତାନ ନାଗରିକଙ୍କ ଭିସା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ନିଜ ରାଜ୍ୟରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ତାଙ୍କର ଭିସା ବନ୍ଦ କରି ତୁରନ୍ତ ରାଜ୍ୟରୁ ବାହାର କରିବାକୁ ଶାହ କହିଛନ୍ତି ।
ତେବେ ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ ରହିଥିବା ସୂଚନା ମିଳିବା ପରେ, କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ସେମାନଙ୍କୁ ବିଦା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏବେ ସୁଦ୍ଧା ଦୁଇ ଜଣ ପାକ୍ ନାଗରିକ ଓଡିଶା ଛାଡି ସାରିଛନ୍ତି ।
