ଶେଷ ପର୍ଯ୍ୟାୟରେ ମେଗା ପାନୀୟଜଳ ପ୍ରକଳ୍ପ : ଦୂର ହେବ ପାନୀୟଜଳ ସମସ୍ୟା

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ଚଳିତ ଗ୍ରୀଷ୍ମ ଋତୁରେ ଜଳ ସମସ୍ୟା ଗମ୍ଭୀର ରହିଛି । ଦୁଇ ବର୍ଷ ଧରି ଚାଲିଥିବା ମେଗା ଜଳ ପ୍ରକଳ୍ପର କାର୍ଯ୍ୟ କେତେକାଂଶରେ ସରିଥିବାରୁ ରାଇକିଆ ସହର ଓ ବେରେଡ଼ାକିଆ ପଞ୍ଚାୟତର କେତେକ ୱାର୍ଡ଼କୁ ପାନୀୟ ଜଳ ପହଞ୍ଚିଛି । ବେରେଡାକିଆ ପଞ୍ଚାୟତର କାଲୁମାହା ଠାରୁ ବାଞ୍ଜାମହା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ସ୍ଵାଭାବିକ ହୋଇଛି । ପ୍ରଥମ ଥର ପାଇଁ ପାଇପ ଯୋଗେ ଏହି ସବୁ ଅଞ୍ଚଳ କୁ ଜଳ ଯୋଗାଣ ଆରମ୍ଭ ହୋଇଛି । ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ ଓ ମେଗା ପ୍ରକଳ୍ପର ପରିଚାଳକ ଭି. ଶ୍ରୀନିଭାସ ରାଓଙ୍କ ଉପସ୍ଥିତିରେ ଏହାକୁ ଆରମ୍ଭ କରଯାଇଥିଲା । ଜଳ ସମସ୍ୟାର ସମାଧାନ କରିବା ପାଇଁ ବହୁପ୍ରତିକ୍ଷିତ ମେଗା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ବେରେଡାକିଆ ପଞ୍ଚାୟତର ଛଅ ଗୋଟି ୱାର୍ଡରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ପାନୀୟ ଜଳ ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ବର୍ତ୍ତମାନ ଉକ୍ତ ଅଞ୍ଚଳ ଗୁଡିକରେ ପ୍ରଥମ ଥର ପାଇଁ ଟ୍ୟାପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଅଛି । ପଞ୍ଚାୟତ ଜଳ ସମସ୍ୟା ଦୂର କରିଥିବାରୁ ଅଞ୍ଚଳବାସୀ ସରପଞ୍ଚଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭରୁ ହିଁ ପଞ୍ଚାୟତ ସହଯୋଗରେ କେଉଁ କେଉଁ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଇ ଥାଏ ସେସବୁ ସ୍ଥାନକୁ ଚିହ୍ନଟ କରି ପାଇପ୍ ବିଛାଇବା ସହ ପାଇପ୍ ଟେପ୍ ଷ୍ଟାଣ୍ଡ ସ୍ଥାପନ କରାଯାଇଥିଲା । ଆଉ କିଛି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାବେଳେ ଆଗାମୀ ୧୫ ଦିନ ମଧ୍ୟରେ ପ୍ରାଥମିକତା ଭିତ୍ତିରେ ପଞ୍ଚାୟତର ଅନ୍ୟ ସମସ୍ତ ୱାର୍ଡରେ ମଧ୍ୟ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସରପଞ୍ଚ କହିଛନ୍ତି । ପ୍ରକଳ୍ପ କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କିଛି ୱାର୍ଡକୁ ରାସ୍ତା ଖୋଳି ପାଇପ ବିଛାଇବା କାମ ବାକି ରହିଅଛି ରାସ୍ତା ଖୋଳି ପାଇପ ବିଛାଇବା କାମ ଶେଷ ହୋଇଗଲେ ଏକ ସପ୍ତାହ ମଧ୍ୟରେ ସମସ୍ତ ୱାର୍ଡକୁ ଜଳ ଯୋଗାଣ ସ୍ଵାଭାବିକ ହୋଇପାରିବ ବୋଲି ପ୍ରକଳ୍ପ ପରିଚାଳକ କହିଛନ୍ତି ।

nis-ad
Leave A Reply

Your email address will not be published.