ଭୁବନେଶ୍ବର: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିବା ଘଟଣାରେ ଆଜି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଭକ୍ତ ଚରଣ ଦାସ ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଭକ୍ତ ଚରଣ ଦାସ ନିଜର ଟିପ୍ପଣୀ ପାଇଁ ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଉଚିତ। ସେ ଜଣେ ଅଭିଜ୍ଞ ରାଜନେତା ହୋଇ ମଧ୍ୟ ଯେଉଁଭଳି କଥା କହିଲେ ତାହା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତ ୨୮ଟି ପରିବାରର କଟାଘା’ରେ ଚୂନ ଲଗାଇବା ସଦୃଶ।
ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଆହୁରି କହିଛନ୍ତି, ୧୯୮୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଗଲା, ସେତେବେଳେ କଂଗ୍ରେସ ଦଳ ପ୍ରାୟ ବର୍ଷକ ଆଗରୁ ନିର୍ବାଚନ କରାଇଥିଲେ। ଠିକ୍ ସେମିତି ୧୯୯୧ରେ ଯେତେବେଳେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଗଲା ସେତେବେଳେ ତ ଏନେଇ ବିଜେପି କୌଣସି କୁତ୍ସା ରଟନା କରିନଥିଲା। ଯେଉଁ ଏଲଟିଟିଇକୁ କଂଗ୍ରେସ ସରକାର ଫଣ୍ଡିଂ କରୁଥିଲେ, ସେହି ସଂଗଠନ ହିଁ ରାଜୀବ ଗାନ୍ଧୀଙ୍କ ଜୀବନ ନେଇଥିଲା। କେନ୍ଦ୍ର ସରକାର ନାଟକ କରୁନାହାନ୍ତି। କିଏ ନାଟକ କରୁଛି, ତାହା ଦେଶବାସୀ ଜାଣନ୍ତି। ବରିଷ୍ଠ କଂଗ୍ରେସ ନେତାମାନେ ଯେଉଁଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ସେମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ କେଉଁଭଳି ଦୃଷ୍ଠିରେ ଦେଖୁଛନ୍ତି।
ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କୁ ଘେରିବା ସହିତ ପ୍ରଶ୍ନ ଉଠାଇଥିଲେ। ଭାରତ ମାଟିରେ ଆତଙ୍କବାଦୀଙ୍କ ହିନ୍ଦୁ ଶବ୍ଦ ବ୍ୟବହାର କରିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଆତଙ୍କବାଦୀ କାହିଁକି ହିନ୍ଦୁ ଶବ୍ଦ ବ୍ୟବହାର କଲେ ? କିଏ ଆତଙ୍କବାଦୀଙ୍କ ମୁହଁରେ ହିନ୍ଦୁ ଶବ୍ଦ କୁହାଇଲା ? ସେ ବ୍ୟକ୍ତି ଜଣକ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି ।
ହିନ୍ଦୁ ଶବ୍ଦ ତାଙ୍କ ପାଟିରେ କୁହାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଆଗକୁ ଦୁଇଟି ରାଜ୍ୟରେ ନିର୍ବାଚନ ଅଛି । ନିର୍ବାଚନ ସମୟରେ ଆତଙ୍କବାଦୀ ଆକ୍ରମଣ କାହିଁକି ହେଉଛି ? କେନ୍ଦ୍ର ସରକାର କ’ଣ ନାଟକ କରୁଛନ୍ତି କି ? ବିଜେପି ସରକାରଙ୍କ ସମୟରେ ଅନେକ ଘଟଣା ଘଟିଛି ।
ପାର୍ଲାମେଣ୍ଟ ଆକ୍ରମଣ, ପୁଲଓ୍ବାମା ଘଟଣା କାହା ସମୟରେ ହୋଇଥିଲା ? କଂଗ୍ରେସ ସମୟରେ କ’ଣ ହୋଇଛି ? ଇନ୍ଦିରା ଗାନ୍ଧୀଙ୍କ ସମୟରେ ପୂରା ପାକିସ୍ଥାନ ଘେରାଉ ହୋଇଥିଲା । ଜମ୍ମୁ-କଶ୍ମୀର ନିର୍ବାଚନ ପରେ ସରକାର କାହିଁକି ଫୋର୍ସକୁ ସମ୍ପୂର୍ଣ୍ଣ ଫେରାଇ ଆଣିଲେ ? ନେତା ଗଲା ବେଳକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମିଳୁଛି, ହେଲେ ଦୁଇ ହଜାର ଭାରତୀୟ ଲୋକଙ୍କ ଜୀବନର କିଛି ବି ମୂଲ୍ୟ ନାହିଁ ବୋଲି ସେ ଉଦ୍ବେଗ ପ୍ରକାଶ କରିଛନ୍ତି।
