ଭୁବନେଶ୍ବର : ମୋଦି କ୍ୟାବିନେଟରେ ଜାତିଭିତ୍ତିକ ଜନଗଣନାକୁ ନେଇ ଘୋଷଣା ପରେ ରାଜ୍ୟରେ ଏବେ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ରାଜ୍ୟ କଂଗ୍ରେସ କହୁଛି ଜାତିଭିତ୍ତିକ ଜନଗଣନା ପାଇଁ ରାହୁଲ ଗାନ୍ଧି ଦୀର୍ଘ ବର୍ଷ ହେବ ଦାବି କରି ଆସୁଥିଲେ । ଲୋକସଭାରେ ସମ୍ବିଧାନକୁ ହାତରେ ଧରି ଯୁକ୍ତିଯୁକ୍ତ ତଥ୍ୟ ମଧ୍ୟ ପ୍ରଦାନ କରିଥିଲେ । ମାତ୍ର ସେତେବେଳେ ବିଜେପି ନେତାଏ ରାହୁଲ ଗାନ୍ଧୀଙ୍କ ଯୁକ୍ତିକୁ ତୁଚ୍ଛ ବୋଲି କହୁଥିଲେ । କିନ୍ତୁ ଏବେ ସତ୍ୟର ବିଜୟ ହୋଇଛି । ଅନିଚ୍ଛା ସ୍ୱତେ କେନ୍ଦ୍ର ସରକାର ବାଧ୍ୟ ହୋଇ ଜାତି ଜନଗଣନା କାରିବାକୁ ଘୋଷଣା କରିଛନ୍ତି । ଜାତି ଜନଗଣନାର କାର୍ୟ୍ୟଧାରା ଓ ରୂପରେଖ କଣ ରହିବ ସେନେଇ କେନ୍ଦ୍ର ସରକାର ସ୍ପଷ୍ଟ ତଥ୍ୟ ଦେବାକୁ ଦାବୀ କରିଛନ୍ତି ରାହୁଲ ଗାନ୍ଧୀ । ଏହାକୁ ଆମେ ସ୍ୱାଗତ କରୁଛୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।
ଅନ୍ୟ ପଟେ ବିଜେଡି ମଧ୍ୟ ଚୁପ୍ ବସିନି । କେନ୍ଦ୍ରରେ ସରକାର ନିଷ୍ପତ୍ତି ନେବା ପୂର୍ବରୁ ଅର୍ଥାତ ୨୦୧୧ ଜଣଗଣନା ପୂର୍ବରୁ ୨୦୧୦ ମସିହାରେ ସଂସଦ ଅଧିବେସନରେ ଜାତି ଜନଗଣନା ପାଇଁ ଦଳ ଦାବି କରିଥିଲା । ବିଜେଡିର ସଂସଦୀୟ କମିଟି ଜାତିଭିତ୍ତିକ ଜନଗଣନା କରିବା ନେଇ ଅମିତ ଶାହଙ୍କୁ ଭେଟି ଦାବି ଜଣାଇଥିଲା । ଖାଲି ସେତିକି ନୁହେଁ କୋଭିଡ ସମୟରେ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବିଜେଡି ସେଇଠି ମଧ୍ୟ ତୀବ୍ର ଭାବେ ଦାବି ଉଠାଇଥିଲା ବୋଲି ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି ।
