ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ବିବାଦ: ଆସିଲା ତଦନ୍ତ ରିପୋର୍ଟ, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ନେଇ ସୃଷ୍ଟି ହୋଇଥିବା ବିବାଦର ତଦନ୍ତ କରୁଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୋମବାର ରାଜ୍ୟ ସରକାରଙ୍କୁ ମଧ୍ୟବର୍ତ୍ତିକାଳୀନ ତଦନ୍ତ କମିଟି ରିପୋର୍ଟ ପ୍ରଦାନ କରିଛନ୍ତି। ଡଃ ପାଢ଼ୀ ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ତଦନ୍ତ ରିପୋର୍ଟରେ ଦିଘାଠାରେ ଶ୍ରୀଜଗନ୍ନାଥଙ୍କର ମନ୍ଦିର ନିର୍ମାଣ ହେବା, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଇତ୍ୟାଦି ବାବଦରେ ତଥ୍ୟ ତଦନ୍ତ କମିଟି ରିପୋର୍ଟରେ ରହିଛି।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଦିଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅନ୍ତରୀଣ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖା ଯାଇଥିଲା ଓ ଏହାର ରିପୋର୍ଟ ହସ୍ତଗତ ହୋଇଛି। ମହାରଣା ସେବକ, ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ନିଯୋଗ, ଦାଇତାପତି ନିଯୋଗ ଓ ଯେଉଁମାନେ ଦିଘା ମନ୍ଦିର ଯାଇଥିଲେ ସେମାନଙ୍କୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନିଦିନ ଧରି ମାରାଥନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ସମସ୍ତ ଦିଗକୁ ଅନୁଧ୍ୟାନ କରି ବିଭିନ୍ନ ପ୍ରସ୍ତାବ ଏବଂ ବିସ୍ତୃତ ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ଦାଖଲ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ଏହି ରିପୋର୍ଟକୁ ସଂପୂର୍ଣ୍ଣ ଅନୁଧ୍ୟାନ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତିI

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, କୌଣସି ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବାରେ କିଛି ଅସୁବିଧା ନାହିଁ ତେବେ ଅନେକ ସ୍ଥାନରେ ନୀତିକାନ୍ତି ନେଇ ତାଳମେଳ ରହୁନିI ତେଣୁ ମହାପ୍ରଭୁଙ୍କ ଦୈନିଦିନ କ’ଣ କାର୍ଯ୍ୟ ରହିବ ଏ ନେଇ ଶ୍ରୀମନ୍ଦିର ପକ୍ଷରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଖୁବ ଶୀଘ୍ର ମାର୍ଗଦର୍ଶିକା ଜରିହେବ। ସେ କହିଛନ୍ତି ଯେ ଦେଶରେ କେବଳ ଚାରିଟି ଧାମ ରହିଛିI ତେଣୁ କେବଳ ଏହି ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଧାମ ଶବ୍ଦର ନାମ ଲାଗିପାରିବ ନାହିଁ। ତେଣୁ ଦିଘାରେ “ଜଗନ୍ନାଥ ଧାମ” ବୋଲି ଯାହା ଉଲ୍ଲେଖ କରାଯାଇଛି ତାହା ଠିକ ନୁହେଁ, ଏହାକୁ ଶୀଘ୍ର ହଟାଇବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହେବ। ପଶ୍ଚିମବଙ୍ଗ ସରକାରଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ପତ୍ର ଲେଖାଯିବ ଏବଂ ଦିଘା ଠାରେ ମହାଦୋଧି ନାମକୁ କାଟିବା ପାଇଁ ମଧ୍ୟ କୁହାଯିବ।

ଅନ୍ୟପକ୍ଷରେ ସେବାୟତମାନେ କୌଣସି ସ୍ଥାନକୁ ଯାଇ ସେଠାରେ ପୂଜା ଅର୍ଚ୍ଚନା କରିବା ବିଧି ନାହିଁ। ଏଥି ସହିତ ଜଗନ୍ନାଥଙ୍କ ବିଭିନ୍ନ ନୀତିକାନ୍ତି ବିଷୟରେ ବାହାରେ କ’ଣ ସବୁ ପ୍ରକାଶ କରି ପାରିବେ ଓ ନ କରିପାରିବେ ସେ ନେଇ ମଧ୍ୟ ମାର୍ଗଦର୍ଶିକା ଜାରି ହେବ।

ଅନ୍ୟପକ୍ଷରେ, ଦାଇତାପତି ନିଯୋଗ ସମ୍ପାଦକଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଥିଲା ସେଥିନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନୋଟିସ ଦିଆଯାଇଥିଲା। ଏଥିରେ ସେ ଘଟଣା ସମ୍ପର୍କରେ ନିଜର ପକ୍ଷ ରଖିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ କାହିଁକି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନ ନିଆଯିବ ସେଥିନେଇ ଆଗାମୀ ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନିର୍ଦେଶ ଦିଆଯାଇଛି।

nis-ad
Leave A Reply

Your email address will not be published.