
ନୂଆଦିଲ୍ଲୀ: ଆତଙ୍କୀ ଶିବିରରେ ଥିଲେ ପାକିସ୍ତାନୀ ଗୁପ୍ତଚର ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୪ ଦିନ ଧରି ସେଠାରେ ରହିଥିଲେ ଆଉ ଆତଙ୍କୀ ଆଡ୍ଡାରେ ତାଲିମ ନେଉଥିଲେ । ପାକିସ୍ତାନର ମୁରିଦକେ ସହର ଯାହାକୁ ଲସ୍କର-ଏ-ତୋଏବାର ହେଡକ୍ବାର୍ଟର କୁହାଯାଏ ଆଉ କୁଖ୍ୟାତ ଆତଙ୍କୀ ହାଫିଜ ସଇଦର ଘର ବୋଲି ମଧ୍ୟ କୁହାଯାଏ, ସେଠାରେ ଜ୍ୟୋତି ମାଲହୋତ୍ରା ତାଲିମ ନେଉଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଟ୍ରେନିଂ ପରେ ଯୁବତୀଙ୍କୁ ଏହି ଠାରୁ ତାଙ୍କ ଆଗାମୀ ମିଶନ୍ ପାଇଁ ଭାରତକୁ ପଠାଯାଇଥିଲା । କିନ୍ତୁ ମିଶନ୍ ଆରମ୍ଭ ହେବା ପୂର୍ବରୁ ହିଁ ସେ ହରିୟାଣା ପୁଲିସର ଜାଲରେ ଫସିଥିଲେ । ପହଲଗାମ ଆକ୍ରମଣର କିଛି ଦିନ ପୂର୍ବରୁ ହିଁ ଜ୍ୟୋତି ପାକିସ୍ତାନ ବୁଲିବାକୁ ଯାଇଥିଲେ । ସେହି ସମୟରେ ସେ ପାଖାପାଖି ୧୪ ଦିନ ମୁରିଦକେ ସହରରେ ରହିଥିଲେ । ହରିୟାଣା ହିସାର ପୁଲିସର ସୂତ୍ର ଅନୁସାରେ ପଚରାଉଚରା ସମୟରେ ଏହାର ଖୁଲାସା ନିଜେ ଜ୍ୟୋତି କରିଥିଲେ ।
ତେବେ ମୁରିଦକେ ସହରରୁ କେଉଁ ମିଶନ୍ ନେଇ ସେ ଭାରତ ଫେରିଥିଲେ ତାହା ଏଯାଏଁ ଜଣାପଡ଼ିନାହିଁ । ଏହି ମିଶନରେ ତାଙ୍କ ଛଡ଼ା ଆଉ କେତେ ଜଣ ଲୋକଙ୍କର ସଂପୃକ୍ତି ରହିଛି ତାହା ଜାଣିବା ପାଇଁ ପୁଲିସ ବାରମ୍ବାର ଜ୍ୟୋତିଙ୍କୁ ଜେରା କରୁଛି । ବର୍ତ୍ତମାନ ଜ୍ୟୋତି ମାଲହୋତ୍ରା ୫ ଦିନିଆ ରିମାଣ୍ଡରେ ହିସାର ପୁଲିସର କ୍ରାଇମ୍ ବ୍ରାଞ୍ଚ୍ କଷ୍ଟଡିରେ ରହିଛନ୍ତି । ପୁଲିସର କହିବା ଅନୁସାରେ ଏହି ମିଶନରେ ଜ୍ୟୋତିଙ୍କ ସହ ଆହୁରି ୨୦ ରୁ ଅଧିକ ଲୋକ ସାମିଲ ଅଛନ୍ତି । ସୂତ୍ରରୁ ଖବର ମିଳୁଛି କି ଏହି ୨୦ ଜଣ ଲୋକ ସୋସିଆଲ୍ ମିଡିଆର ଜଣେ ଜଣେ ଇନଫ୍ୟୁଏନ୍ସର ।
ଯେଉଁଠି ଅନ୍ୟ ଲୋକଙ୍କ ପାଇଁ ପାକିସ୍ତାନର ଅନେକ ସ୍ଥାନରେ ପ୍ରତିବନ୍ଧକ ଅଞ୍ଚଳର ବୋର୍ଡ ଲାଗୁଥିଲା । ସେଠାରେ ଜ୍ୟୋତି ମାଲହୋତ୍ରାଙ୍କ କ୍ଷେତ୍ରରେ ଏପରି କୌଣସି ବାରଣ ନଥିଲା । ଜ୍ୟୋତି ବିନ୍ଦାସ୍ ହୋଇ ପାକିସ୍ତାନ ବୁଲୁଥିଲେ । ଆଶ୍ଚର୍ୟ୍ୟର କଥା ହେଉଛି ପାକ୍ ପୁଲିସ ନିଜେ ଜ୍ୟୋତିଙ୍କ ସୁରକ୍ଷା ପାଇଁ ସିକ୍ୟୁରିଟି ସୁବିଧା ଯୋଗାଉଥିଲେ । ସେ ଅନେକ ଥର ଏମିତି ସ୍ଥାନକୁ ଯାଇଛନ୍ତି ଯେଉଁଠିକୁ ଅନ୍ୟ ଭାରତୀୟ ଆଦୌ ଯାଇପାରିବେ ନାହିଁ । ଇସଲାମାବାଦ , କରାଚି , ମୁରିଦକେ ଭଳି ସ୍ଥାନକୁ ଯାଇଥିଲେ ଜ୍ୟୋତି ।