ଜ୍ୟୋତି ମଲହୋତ୍ରାଙ୍କ ସମସ୍ତ ଫଟୋକୁ ଘର କାନ୍ଥରୁ ହଟାଇଦେଲେ ପରିବାର ଲୋକେ

youtube

ଚଣ୍ଡିଗଡ: ନିଜ ଘରୁ ଜ୍ୟୋତିଙ୍କୁ ଝଟକା । ଘରୁ କଢାଗଲା ଜ୍ୟୋତିଙ୍କ ଫଟୋ । କାନ୍ଥରେ ଲାଗିଥିବା ସବୁ ଫଟୋକୁ ହଟାଇଦେଲେ ପରିବାର ଲୋକେ । ନିଜ ରୁମ ସହ ଘରର ବିଭିନ୍ନ ସ୍ଥାନରେ ଲାଗିଥିବା ଜ୍ୟୋତି ମଲହୋତ୍ରାଙ୍କ ଫଟୋକୁ ହଟାଇ ଦିଆଯାଇଛି । ଜ୍ୟୋତି ଦେଶ ବିଦେଶ ବୁଲି ଯେଉଁ ସବୁ ଫଟୋ ଉଠାଇଥିଲେ ତାର ଯେଉଁ ସବୁ ଫ୍ରେମ୍ ଘରେ ଲଗାଯାଇଥିଲା ଇତିମଧ୍ୟରେ ସେସବୁ କାଢି ଦିଆଯାଇଛି । ଏଥିସହ ୟୁଟ୍ୟୁବରୁ ମିଳିଥିବା ଗୋଲ୍ଡ, ସିଲଭର ବଟନ ବି ହଟେଇ ଦିଆଯାଇଥିବା ସୂଚନା ମିଳିଛି ।
ଖାଲି ଜ୍ୟୋତିଙ୍କ ଫଟୋ ଫ୍ରେମ୍ ପରିବାର ଲୋକେ ଘରୁ ଖୋଲି ଦେଇ ନାହାନ୍ତି ବରଂ ଅନେକ ସମୟରେ ତାଙ୍କ ଘର ମଧ୍ୟ ବନ୍ଦ ରହୁଥିବା ଦେଖିବାକୁ ମିଳିଛି । ଝିଅ ପାକିସ୍ତାନୀ ଗୁପ୍ତଚର ବୋଲି ଅଭିଯୋଗ ହେବା ଏବଂ ପରେ ତାଙ୍କୁ ଗିରଫ କରିବା ପରେ ଘଟଣାକୁ ନେଇ ଭାଙ୍ଗି ପଡିଛନ୍ତି ଜ୍ୟୋତିଙ୍କ ବାପା ଆଉ ସେ ଏ ମାମଲା ଠାରୁ ନିଜକୁ ଦୂରେଇ ରଖୁଛନ୍ତି ।
ତେବେ ଘରେ ଦିଲ୍ଲୀ କହି ପାକିସ୍ତାନ ଯାଉଥିଲେ ଜ୍ୟୋତି… ପ୍ରତି ଥର ଦିଲ୍ଲୀ ବୁଲିବାକୁ ଯାଉଥିବା କହି ପାକିସ୍ତାନ ସହ ଭିନ୍ନ ଭିନ୍ନ ଦେଶ ବୁଲୁଥିଲେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ଘରେ ବାରମ୍ବାର ମିଛ କହି ଦେଶ ବାହାରକୁ ଯାଉଥିଲେ ଜ୍ୟୋତି । ବାପା ଏବଂ ପରିବାର ଲୋକଙ୍କୁ ମିଛର ଚାଦର ତଳେ ଶୁଆଇ ଦେଇ ଶତ୍ରୁ ଦେଶକୁ ଷଡଯନ୍ତ୍ର ପାଇଁ ଯାଉଥିଲେ ଜ୍ୟୋତି । ଏକଥା ଖୋଦ୍ ବାପା କହିବା ପରେ ଏସବୁ ଚର୍ଚ୍ଚା ଏବେ ସାରା ଦେଶରେ ହେଉଛି ।
ଜ୍ୟୋତିଙ୍କ ବାପା ହରିଶ ମଲହୋତ୍ରା କହିଛନ୍ତି, ମୁଁ କିଛି ଜାଣିନି ଝିଅ କୁଆଡେ ଯାଉଥିଲା । ଅଧା ସମୟରେ ସେ କୁହେ ମୁଁ ଦିଲ୍ଲୀ ଯାଉଛି । କିନ୍ତୁ ଦିଲ୍ଲୀ କହି ପାକିସ୍ତାନ ଯାଉଥିଲା ବୋଲି ଆମେ ଜାଣିନୁ । ଝିଅ ମତେ କେବେ କିଛି କୁହେନି କି ତାର କୌଣସି ବି ସାଙ୍ଗ ଘରକୁ ଆସନ୍ତିନି । ସେ ଘରେ ଭିଡିଓ କରେ । ଏବେ ଯାହା ହେବ ହେବ… ମୁଁ ଆଉ କଣ କରିପାରିବି… ବୋଲି ଜ୍ୟୋତିଙ୍କ ବାପା କହିବା ପରେ ସ୍ପଷ୍ଟ ହେଉଛି କି ଜ୍ୟୋତି ଘରେ ମିଛ କହି ପାକିସ୍ତାନ ଯାଉଥିଲେ ।
ସେପଟେ ପୋଲିସକୁ ମିଳିଛି ଜ୍ୟୋତିଙ୍କ ଡାଏରୀ । ପାକିସ୍ତାନ ସହ କେବେଠୁ ଲିଙ୍କରେ ଅଛନ୍ତି ଜ୍ୟୋତି ? ପାକିସ୍ତାନକୁ ସେ କେତେ ଥର ଯାଇଛନ୍ତି ? କାହା କାହା ସହ ମିଶନ୍ତି ଏବଂ କେଉଁଠି କେଉଁଠି ରୁହନ୍ତି ? ପାକିସ୍ତାନକୁ ବାରମ୍ବାର ଯିବା ପରେ ସେଠାର ଅନୁଭୂତି କଣ ? ପାକିସ୍ତାନକୁ ନେଇ ଜ୍ୟୋତିଙ୍କ ମତ କଣ ? ଏ ସବୁ ପ୍ରଶ୍ନର ଉତ୍ତର ଖୋଲିପାରେ ଜ୍ୟୋତିଙ୍କ ଡାଏରୀ । ଯେଉଁଥିରେ ସେ ନିଜ ମନକଥା ସହ ନିଜର ଯାତ୍ରା ବିବରଣୀ ମଧ୍ୟ ଲେଖନ୍ତି ।

Leave A Reply

Your email address will not be published.