
ଗୋପାଳପୁର: ବାପା ଘରୁ ଅମାବାସ୍ୟା ଭାର କେବେ ଆସିବ ସେଥିପାଇଁ ଝିଅ ମାନେ ଅପେକ୍ଷା କରିଥାନ୍ତି। ଭାଇ ନେଇ ଭଉଣୀ ପାଖରେ ପହଞ୍ଚାଇ ଦିଏ ସେହି ଭାର। ଭଉଣୀଙ୍କୁ ଭାଇ ଦିଏ ଅମାବାସ୍ୟା ଭାର। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ। ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଗୋଳନ୍ଥରା ସ୍ଥିତ ଇଶାଣେଶ୍ବର ମନ୍ଦିର ପରିସରରେ ସୁଭଦ୍ରା ପାଇଁ ସାବିତ୍ରୀ କାର୍ଯ୍ୟକ୍ରମ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଉପମୁଖ୍ୟ ପ୍ରଭାତୀ ପରିଡା ଆଭାସୀ ମାଧ୍ୟମରେ ଯୋଗଦେଇ ମହିଳାଙ୍କ ପାଇଁ ଶ୍ରେଷ୍ଠ ପୂଜା ହେଉଛି ସାବିତ୍ରୀ ଅମାବାସ୍ୟା। ସବୁ ଭଉଣୀଙ୍କ ସୁଖ, ସମୃଦ୍ଧି, ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ସାବିତ୍ରୀ ଅମାବାସ୍ୟା ଅବସରରେ କୌଣସି ବିବାହିତ ମହିଳା ଗର୍ଭରୁ କନ୍ୟା ଭୃଣକୁ ନଷ୍ଟ ନ କରିବା ପାଇଁ ଶପଥ ନେବାକୁ ଉପସ୍ଥିତ ମହିଳା ମାନଙ୍କୁ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡା ଆହ୍ବାନ ଦେଇଥିଲେ।
ଅନ୍ୟତମ ଅତିଥି ଭାବେ କାଶୀ ଶଙ୍କରାଚାର୍ଯ୍ୟ ସୁମେରୁ ପିଠାଧୀଶ ନରେନ୍ଦ୍ରନନ୍ଦ ସରସ୍ୱତୀ ମହାରାଜ ଯୋଗଦେଇ ସାବିତ୍ରୀ ବ୍ରତ ନେଇ ମତ ରଖିବା ସହ ମହିଳାମାନେ କେବେ ବି ଦୁର୍ବଳା ନୁହନ୍ତି, ସବୁବେଳେ ସବଳା ବୋଲି କହିବା ସହ ଦେଶର ବଡ଼ ଶକ୍ତି ହେଉଛନ୍ତି ମହିଳା ବୋଲି ସମ୍ବୋଧନ କରିବା ସହ ମହିଳା ମାନେ କେତେ ଶକ୍ତିଶାଳୀ ତାହା ନିକଟ ଅତୀତରେ ସମଗ୍ର ବିଶ୍ୱ ଦେଖିଲା ବୋଲି କହିଥିଲେ। କନ୍ୟା, ମହିଳାଙ୍କୁ ସମ୍ମାନ ଦେବା ସହ କନ୍ୟା ଭୃଣ ହତ୍ୟାରୁ ନିବୃତ୍ତ ରହିବାକୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଶଙ୍କରାଚାର୍ଯ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଆଭାସୀ ମାଧ୍ୟମରେ ଅମାବାସ୍ୟା ଭାର ପ୍ରଦାନ କରିଥିଲେ। ଆସନ୍ତାକାଲି ଏହି ଭାର ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବେ ବୋଲି ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି।
ମନ୍ତ୍ରୀ ବିଭୁତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୭୦୦ ମହିଳାଙ୍କୁ ଅମାବାସ୍ୟା ଭାର ବଣ୍ଟନ କରିବା ସହ ସମସ୍ତ ଭଉଣୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ଭବିଷ୍ୟତ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ।