ଗାଜା ଏବଂ ବିଦେଶରେ ଥିବା ହମାସ ନେତାମାନଙ୍କୁ ନିପାତ କରିବା ପାଇଁ ଇସ୍ରାଏଲର ଯୋଜନା

add-all

ଜେରୁଜେଲମ: ଗାଜାରେ ନିଜର ଅଭିଯାନ ଆରମ୍ଭ କରିବା ପରଠାରୁ, ଇସ୍ରାଏଲ ଅନେକ ହମାସ ନେତା ଏବଂ କମାଣ୍ଡରଙ୍କୁ ଟାର୍ଗେଟ କରିସାରିଛି ଏବଂ ଗାଜାରେ ଥିବା ପ୍ରାୟ ସମସ୍ତ ବରିଷ୍ଠ ହମାସ ଅଧିକାରୀଙ୍କୁ ମଧ୍ୟ ହତ୍ୟା କରିଛି। ଏକ ସାମ୍ପ୍ରତିକ ରିପୋର୍ଟରୁ ଜଣାପଡିଛି ଯେ, ଇସ୍ରାଏଲ ଏବେ ଗାଜା ଏବଂ ବିଦେଶରେ ଥିବା ଅବଶିଷ୍ଟ ହମାସ ନେତାମାନଙ୍କୁ ନିପାତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି।
ଦକ୍ଷିଣପନ୍ଥୀ ମାରିଭ ଖବର କାଗଜର ସାମରିକ ପ୍ରତିନିଧି ଅଭି ଆଶକେନାଜି କହିଛନ୍ତି ଯେ, ଖାନ ୟୁନିସରେ ଏକ ସୁଡ଼ଙ୍ଗରେ ବୋମା ବିସ୍ଫୋରଣ କରି ଅଲ-କାସମ ବ୍ରିଗେଡ କମାଣ୍ଡର ମହମ୍ମଦ ସିନୱାର ଏବଂ ରାଫା ବ୍ରିଗେଡ କମାଣ୍ଡର ମହମ୍ମଦ ଶାବାନେହଙ୍କୁ ସଫଳ ଭାବରେ ନିପାତ କରିବା ବିଷୟରେ ଇସ୍ରାଏଲର ଆନୁଷ୍ଠାନିକ ଭାବେ ନିଶ୍ଚିତ କରିବା ପରେ, ଇସ୍ରାଏଲୀ ସେନା, ଜେନେରାଲ ସିକ୍ୟୁରିଟି ସର୍ଭିସ (ସିନ୍ ବେଟ୍) ଏବଂ ଗୁପ୍ତଚର ଏଜେନ୍ସି ମୋସାଦ ଏବେ ଚାରି ଜଣ ବରିଷ୍ଠ ହମାସ ନେତାଙ୍କୁ ନିପାତ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।
ଆଶକେନାଜି ସୂଚନା ପ୍ରଦାନ କରିଛନ୍ତି ଯେ, ଇସ୍ରାଏଲର ଟାର୍ଗେଟ ଏବେ ଅଲ-କାସାମ ବ୍ରିଗେଡର ଗାଜା ବ୍ରିଗେଡର କମାଣ୍ଡର ଇଜ୍ ଅଲ୍-ଦିନ୍ ଅଲ୍-ହଦ୍ଦାଦ୍ ଉପରେ ରହିଛି। ତାଙ୍କୁ ହତ୍ୟା ପାଇଁ ଇସ୍ରାଏଲ ଗାଜାରେ ନରସଂହାର ଯୁଦ୍ଧ ଆରମ୍ଭ କରିବା ପରଠାରୁ ଅନେକ ଥର ଚେଷ୍ଟା କରିଛି। ଏହା ସହିତ ଲେବାନନରେ ହମାସର ନେତୃତ୍ୱ ନେଉଥିବା ଏବଂ ହମାସର ରାଜନୈତିକ ବ୍ୟୁରୋର ଅଂଶ ଥିବା ଓସାମା ହମଦାନ ମଧ୍ୟ ଇସ୍ରାଏଲର ଟାର୍ଗେଟରେ ଅଛନ୍ତି।
ଓସାମା ବର୍ତ୍ତମାନ ଅଧିକାଂଶ ସମୟ କାତାରରେ ବିତାଉଛନ୍ତି ଏବଂ ଶାନ୍ତି ଆଲୋଚନାରେ ହମାସ ପ୍ରତିନିଧିମଣ୍ଡଳର ସେ ଅଂଶବିଶେଷ। ଇସ୍ରାଏଲ ଓସାମାଙ୍କୁ ନିଜର ବଡ଼ ଶତ୍ରୁ ଭାବେ ବିବେଚନା କରୁଛି। ପୂର୍ବରୁ ଇସ୍ରାଏଲ ଇସମାଇଲ ହାନିୟେଙ୍କୁ ହତ୍ୟା କରି ପ୍ରମାଣ କରିଛି ଯେ, ଶାନ୍ତି ଆଲୋଚନା କରୁଥିବା ନେତାମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇ ପାରିବ।
ଗାଜାରେ ଇସ୍ରାଏଲର ଆକ୍ରମଣ ନିରନ୍ତର ଜାରି ରହିଛି। ମଙ୍ଗଳବାର ଦିନ ଇସ୍ରାଏଲୀ ସୈନିକମାନେ ପୁଣି ଥରେ ସାହାଯ୍ୟ ପାଇଁ ଧାଡ଼ିରେ ଠିଆ ହୋଇଥିବା ଭୋକିଲା ପାଲେଷ୍ଟାଇନୀଙ୍କ ଉପରେ ଗୁଳି ଚଳାଇ ୨୭ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ଗତ ୨୦ ମାସ ଧରି ଚାଲିଥିବା ଏହି ଯୁଦ୍ଧରେ ଇସ୍ରାଏଲ ୫୫ହଜାରରୁ ଅଧିକ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି। ଏହି ସଂଖ୍ୟା ନିଶ୍ଚିତ ହୋଇଛି। ତେବେ ବିଶେଷଜ୍ଞମାନଙ୍କ ଅନୁସାରେ ସାଧାରଣ ଲୋକଙ୍କ ମୃତ୍ୟୁ ସଂଖ୍ୟା ବହୁ ଅଧିକ ହୋଇପାରେ।

ad-week
Leave A Reply

Your email address will not be published.