ଇମରାନ ଖାନଙ୍କ ପତ୍ନୀଙ୍କ ପଛରେ ପଡ଼ିଛନ୍ତି ଆସିମ ମୁନିର ! ପାକିସ୍ତାନ ପୂର୍ବତନ ପିଏମଙ୍କ ସାଂଘାତିକ ଖୁଲାସା

add-all

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରୀକ-ଏ-ଇନସାଫ (PTI) ନେତା ଇମରାନ ଖାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ବିରୋଧରେ ଗୁରୁତର ଓ ବ୍ୟକ୍ତିଗତ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଜେନେରାଲ ମୁନିର ତାଙ୍କୁ ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ISI) ମୁଖ୍ୟ ପଦରୁ ହଟାଇବା ପରେ ବ୍ୟକ୍ତିଗତ ଶତ୍ରୁତା ଯୋଗୁ ଟାର୍ଗେଟ କରିଛନ୍ତି, ଓ ଏହାର ସବୁଠୁ ବଡ଼ ଶିକାର ହୋଇଛନ୍ତି ତାଙ୍କ ପତ୍ନୀ ବୁଶରା ବିବି।

ବୁଶରା ବିବିଙ୍କୁ କାହିଁକି ଟାର୍ଗେଟ କରାଗଲା?
ଇମରାନ ଖାନ କହିଛନ୍ତି, “ମୋ ପତ୍ନୀ ଜଣେ ଗୃହିଣୀ, ଯାହାଙ୍କର ରାଜନୀତି ସହ କୌଣସି ସମ୍ପର୍କ ନାହିଁ। ତାଙ୍କୁ ମିଥ୍ୟା ମାମଲାରେ ଫସାଇ ୧୪ ମାସ ଧରି ଜେଲରେ ରଖାଯାଇଛି।” ଇମରାନ ଅଭିଯୋଗ କରିଛନ୍ତି ଯେ ଜେନେରାଲ ଫିଲ୍ଡ ମାର୍ଶାଲ ଆସିମ ମୁନିର ମଧ୍ୟସ୍ଥୀଙ୍କ ମାଧ୍ୟମରେ ବୁଶରା ବିବିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, ଯାହାକୁ ବୁଶରା ପ୍ରତ୍ୟାଖ୍ୟାନ କରିଥିଲେ। ଏହି କଥିତ ଅସ୍ୱୀକୃତି ପରେ ମୁନିରଙ୍କ ବ୍ୟକ୍ତିଗତ ପ୍ରତିଶୋଧରେ ପରିଣତ ହୋଇଥିବା ଇମରାନ ଦାବି କରିଛନ୍ତି।

ଜେଲରେ ଦୁର୍ବ୍ୟବହାର ଓ ଆଲୋଚନା ଉପରେ କଟକଣା
ଇମରାନ ଖାନ ଆହୁରି କହିଛନ୍ତି ଯେ ଜେଲରେ ବୁଶରା ବିବିଙ୍କ ସହ ଅମାନବୀୟ ବ୍ୟବହାର କରାଯାଇଛି। ଜଣେ ସାଧାରଣ ନାଗରିକ ହୋଇଥାଇ ମଧ୍ୟ ତାଙ୍କୁ ବାରମ୍ବାର ଗିରଫ କରାଯାଇଛି ଓ ଏବେ ତାଙ୍କୁ ଭେଟିବା ପାଇଁ ଅନୁମତି ଦିଆଯାଉ ନାହିଁ। ସେ କହିଛନ୍ତି, “୧ ଜୁନରେ ମୋର ବୁଶରା ବିବିଙ୍କ ସହ ଭେଟିବା ନିର୍ଦ୍ଧାରିତ ଥିଲା, କିନ୍ତୁ କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏହାକୁ ମନା କରାଗଲା। ଏହା ଆଇନର ଶାସନ ନୁହେଁ, ବ୍ୟକ୍ତିଗତ ପ୍ରତିଶୋଧର ଶାସନ।”

୯ ମେ ଘଟଣା: ‘ଲଣ୍ଡନ ଯୋଜନା’ର ଷଡ଼ଯନ୍ତ୍ର
ଇମରାନ ଖାନ ୯ ମଇ ୨୦୨୩ରେ ସୈନ୍ୟ ପ୍ରତିଷ୍ଠାନ ଉପରେ ହୋଇଥିବା ଆକ୍ରମଣକୁ ଏକ ପୂର୍ବ ଯୋଜିତ ଷଡ଼ଯନ୍ତ୍ର ବୋଲି ଅଭିହିତ କରିଛନ୍ତି, ଯାହାକୁ ସେ ‘ଲଣ୍ଡନ ଯୋଜନା’ ନାମ ଦେଇଛନ୍ତି। ତାଙ୍କ ମତରେ, ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା ପାକିସ୍ତାନର ସବୁଠୁ ବଡ଼ ରାଜନୈତିକ ଦଳ PTIକୁ ନିଶ୍ଚିହ୍ନ କରିବା। ସେ ଦାବି କରିଛନ୍ତି ଯେ ୯ ମେ ଘଟଣାକୁ ବାହାନା କରି PTI ନେତାମାନଙ୍କୁ ବିନା ପ୍ରମାଣରେ ଜେଲରେ ପୁରାଯାଇଛି।

ନ୍ୟାୟପାଳିକା ଉପରେ ଆକ୍ରମଣ
ଇମରାନ ଖାନ ଆହୁରି ଅଭିଯୋଗ କରିଛନ୍ତି ଯେ ପାକିସ୍ତାନର ନ୍ୟାୟପାଳିକା ସୈନ୍ୟ ଓ ରାଜନୈତିକ ଗୋଷ୍ଠୀର ଏକ ଅଂଶ ହୋଇପଡ଼ିଛି। ସେ ଆତଙ୍କବାଦ ବିରୋଧୀ କୋର୍ଟଗୁଡ଼ିକୁ ନେଇ ସିଧାସଳଖ ଅଭିଯୋଗ କରିଛନ୍ତି ଯେ ସେଗୁଡ଼ିକ ନିରପେକ୍ଷ ଭାବେ କାମ କରୁନାହାନ୍ତି। ସେ କହିଛନ୍ତି, “୯ ମେର ସିସିଟିଭି ଫୁଟେଜ ବାରମ୍ବାର ମାଗିବା ସତ୍ତ୍ୱେ କୋର୍ଟରେ ଦାଖଲ କରାଯାଉ ନାହିଁ । କୌଣସି ବିଚାରପତି ଏହି ଫୁଟେଜ ଦେଖିବାକୁ ସାହସ କରୁନାହାନ୍ତି।”

ad-week
Leave A Reply

Your email address will not be published.