ଫୁଲବାଣୀରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ହସ୍ପିଟାଲର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପାଇଁ ୭୫୦ କୋଟିର ପ୍ରକଳ୍ପ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍ଘାଟନ କରିବା ସହିତ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
କନ୍ଧମାଳବାସୀଙ୍କ ବହୁଦିନର ଆଶା ପୂରଣ କରିଛି ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ସେମାନଙ୍କର ଦୀର୍ଘ ଦିନର ସ୍ଵପ୍ନ ସାକାର ହୋଇଛି । କନ୍ଧମାଳର ଏହି ମେଡିକାଲ୍ କଲେଜ୍ କେବଳ ଚିକିତ୍ସା ଶିକ୍ଷା ପ୍ରଦାନ କରିବ ନୁହେଁ, ବରଂ ଏହା ଏଠାରେ ଏକ ସୁନିଶ୍ଚିତ ଓ ଗୁଣବତ୍ତାପୂର୍ଣ୍ଣ ସ୍ଵାସ୍ଥ୍ୟ ସେବା ପ୍ରଦାନ କରିବ ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ହେବ । ଏହି ୬୫୦ ଶଯ୍ୟା ବିଶିଷ୍ଟ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଦ୍ଵାରା କେବଳ କନ୍ଧମାଳ ଜିଲ୍ଲା ନୁହେଁ ବରଂ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହା ପରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ଠାରେ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ୧୦ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ମାନଙ୍କ ମଧ୍ୟରୁ ୬୫୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ୫ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ହେଵା ସହିତ ପ୍ରାୟ ୯୪ କୋଟିରୁ ଉର୍ଦ୍ଧ୍ବ ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।
ସୂଚନା ଯୋଗ୍ୟଯେ, ଏହି ସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ,ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି କରଣ, ପର୍ଯ୍ୟଟନ କେନ୍ଦ୍ର , ସ୍ୱାସ୍ଥ୍ୟକେନ୍ଦ୍ର, ସଡକ ନିର୍ମାଣ ପ୍ରକଳ୍ପ, ମିଶନ ଶକ୍ତି ବଜାର , ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଏବଂ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମି ରହିଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ପ୍ରମୁଖ ମଂଚାସୀନ ଥିଲେ।