ମହାନଦୀ ଗଣ୍ଡରେ ମଗରଙ୍କ ପାଇଁ ବିପଦରେ ଘଡ଼ିଆଳ

youtube

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡରେ ଘଡ଼ିଆଳଙ୍କ ପାଇଁ ଏବେ ବିପଦ ସାଜିଛନ୍ତି ମଗର। ଏହି ଗଣ୍ଡରେ କ୍ରମାଗତ ଭାବରେ ମଗର ପ୍ରଜାତିର କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମଗରଙ୍କ ଆକ୍ରମଣରେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀରଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ପୂର୍ବରୁ ଘଡ଼ିଆଳ ଗବେଷକ ଯେଉଁ ଆଶଙ୍କା କରିଥିଲେ ତାହା ସତ ହେଉଛି। ଫଳରେ ଏହି ଗଣ୍ଡରେ ମଗର ସଂଖ୍ୟା କମାଇବା ଜରୁରି ହୋଇପଡ଼ିଛି।
ସୂଚନା ମୁତାବକ, ସାତକୋଶିଆ ଗଣ୍ଡରେ ମଗରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ତୁଳନାରେ ଘଡ଼ିଆଳଙ୍କ ସଂଖ୍ୟା ବହୁତ କମ୍‌। ତେବେ ମହାନଦୀର ଏହି ଗଣ୍ଡରେ ଘଡ଼ିଆଳଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅନେକ ଯୋଜନା ହୋଇଥିଲା। ନନ୍ଦନକାନନରୁ ସାତକୋଶିଆକୁ ଘଡ଼ିଆଳ ସ୍ଥାନାନ୍ତର କରାଯାଇଥିଲା। ଫଳରେ ଘଡ଼ିଆଳଙ୍କ ବଂଶ ବୃଦ୍ଧି ନେଇ ନୂଆ ଆଶା ସଂଚାର ହୋଇଥିଲା। ୫ ବର୍ଷ ହେଲା ଘଡ଼ିଆଳ ମାଆ କୁମ୍ଭୀର ଅଣ୍ଡା ଦେଇ ସେଥିରୁ ଛୁଆ ଫୁଟାଇ ଆସୁଛି। ସରଳ ପ୍ରଜାତିର ଏହି କୁମ୍ଭୀର ନିରାପଦ ସ୍ଥାନକୁ ବସା କରିବାକୁ ବାଛିଥାଏ। ନିକଟରେ ବଳଦମରାଠାରେ କୁମ୍ଭୀର ଅଣ୍ଡାରୁ ଛୁଆ ଫୁଟାଇଥିବା ବେଳେ ସେଠାରେ ମଗର ମଧ୍ୟ ଅଣ୍ଡା ଦେଇଥିଲା। ଅଣ୍ଡିରା ଘଡ଼ିଆଳ ଶାବକମାନଙ୍କୁ ସୁରକ୍ଷା ଦେବାକୁ ଜଗି ରହିଥିବା ବେଳେ ଦୁଇ ଦିନ ପୂର୍ବରୁ ମଗର ଆକ୍ରମଣରେ ତା’ର ଥଣ୍ଟରେ କ୍ଷତ ସୃଷ୍ଟି ହୋଇଛି। ଗତକାଲି ଏହି ଅଣ୍ଡିରା ଘଡ଼ିଆଳକୁ ଗଣ୍ଡରୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଥିବା ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା କହିଛନ୍ତି। ସେପଟେ ଘଡ଼ିଆଳ ଶାବକମାନଙ୍କୁ କିନ୍ତୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ଫଳରେ ମଗର ଆକ୍ରମଣରେ କେତୋଟି ଘଡ଼ିଆଳ ଶାବକ ମରିଛନ୍ତି ତାହାର ହିସାବ ମିଳିପାରି ନାହିଁ।
ତେବେ ଏହି ଗଣ୍ଡରେ ମଗରଙ୍କ ସଂଖ୍ୟା ବୃଦ୍ଧି ପାଇବା ଶୁଭ ସଙ୍କେତ ନୁହେଁ ବୋଲି ଘଡ଼ିଆଳ ଗବେଷକ ଲାଲା ଏ.କେ. ସିଂହ କହିଛନ୍ତି। ଶ୍ରୀ ସିଂହ ୧୯୭୨ ମସିହାରେ ମହାନଦୀ ଗଣ୍ଡରେ ଘଡ଼ିଆଳ କୁମ୍ଭୀରଙ୍କୁ ନେଇ ଗବେଷଣା ଆରମ୍ଭ କରିଥିଲେ। ଏଠାରେ କିପରି ଘଡ଼ିଆଳ ସଂଖ୍ୟା ବୃଦ୍ଧି ପାଇବ ସେନେଇ କାମ କରିଥିଲେ। ଏହି ଗଣ୍ଡରେ ମଗର ସଂଖ୍ୟା ବୃଦ୍ଧି ପାଇଲେ ଘଡ଼ିଆଳଙ୍କ ବଂଶ ବୃଦ୍ଧି ହୋଇପାରିବ ନାହିଁ ବୋଲି ସେ ୧୯୭୯ ମସିହାରେ ସରକାରଙ୍କୁ ଜଣାଇଥିଲେ ବୋଲି କହିଛନ୍ତି। ଏହି ଗଣ୍ଡର ବିନିକେୟୀଠାରୁ କଟରଙ୍ଗ ପର୍ଯ୍ୟନ୍ତ ଘଡ଼ିଆଳମାନଙ୍କ ପାଇଁ ସୁରକ୍ଷିତ ରଖାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ମଗର ସଂଖ୍ୟା ଦେଶର ବିଭିନ୍ନ ନଦୀ ନାଳରେ ବଢ଼ୁଛି। ତେଣୁ ମହାନଦୀରେ ଏମାନଙ୍କ ସଂଖ୍ୟା ବଢ଼ିବା ଆବଶ୍ୟକ ନୁହେଁ। ବିଲୁପ୍ତପ୍ରାୟ ଘଡ଼ିଆଳକୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ପକ୍ଷରୁ ସଙ୍କଟାପନ୍ନ ବିପଦଗ୍ରସ୍ତ ପ୍ରାଣୀ ଭାବରେ ନାଲି ତାଲିକାଭୁକ୍ତ କରାଯାଇଛି। ତେବେ ମହାନଦୀରୁ ମଗରଙ୍କ ସଂଖ୍ୟା ହ୍ରାସ କରିବାକୁ ଟ୍ରାଙ୍କୁଲାଇଜ୍‌ କରି କିମ୍ବା ଅନ୍ୟ ଉପାୟରେ ଧରାଯାଇ ଅନ୍ୟତ୍ର ସ୍ଥାନାନ୍ତର ଜରୁରି ବୋଲି ଘଡ଼ିଆଳ ଗବେଷକ ଶ୍ରୀ ସିଂହ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.