ଆଇଆଇଟି ବମ୍ବେରେ ପରିଚୟ ଲୁଚାଇ ୧୪ ଦିନ ରହିଲେ ନକଲି ଛାତ୍ର

youtube

ମୁମ୍ବାଇ: ନିଜକୁ ଆଇଆଇଟି ବମ୍ବେର ଛାତ୍ର ବୋଲି ଉପସ୍ଥାପନ କରି କଲେଜ କ୍ୟାମ୍ପସ୍‌ରେ ରହିଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଏବେ ତାଙ୍କୁ ଜେରା କରିବାରୁ ନୂଆ ନୂଆ ତଥ୍ୟ ସବୁ ହସ୍ତଗତ ହେବାରେ ଲାଗିଛି।
ଛାତ୍ର ରୂପଧାରୀ ନକଲି ଯୁବକ ଜଣକ ହେଉଛନ୍ତି ବିଲାଲ ଅହମଦ ତେଲି। ଘଟଣା ସଂପର୍କରେ ଜୁନ ୨୬ ତାରିଖରେ ଜାଣିବାକୁ ମିଳିଲା। ବିଲାଲଙ୍କୁ ସୋଫାରେ ଶୋଇଥିବାର ଦେଖି ଆଇଆଇଟି-ବମ୍ବେର ଜଣେ କର୍ମଚାରୀଙ୍କ ମନରେ ସନ୍ଦେହ ଉପୁଜିଥିଲା।
କର୍ମଚାରୀ ତାଙ୍କୁ ପଚାରିଲେ ଯେ ସେ କିଏ, କିନ୍ତୁ ବିଲାଲ ପ୍ରଶ୍ନର ଉତ୍ତର ନ ଦେଇ ପଳାଇଗଲେ। ଏହା ପରେ ଅଧିକାରୀମାନେ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରି ଜାଣିବାକୁ ପାଇଲେ ‌ଯେ ସେ ସେଠାକାର ଛାତ୍ର ନୁହନ୍ତି। ଛାତ୍ର ନହେବା ସତ୍ତ୍ବେ ବି ଗତ କିଛି ଦିନ ଧରି କ୍ୟାମ୍ପସରେ ବୁଲୁଛନ୍ତି। ଅଧିକାରୀମାନେ ଅଭିଯୋଗ ଦାଖଲ କରିବାରୁ ପୁଲିସ୍‌ ବିଲାଲଙ୍କୁ ଗିରଫ କରିଥିଲା। ତାଙ୍କୁ ୭ ଜୁଲାଇ ପର୍ଯ୍ୟନ୍ତ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
ସେ ନିଜକୁ ପିଏଚଡି ଛାତ୍ର ଭାବରେ ପରିଚୟ ଦେଉଥିଲେ ଏବଂ ନକଲି ପ୍ରବେଶ ପତ୍ର ବ୍ୟବହାର କରୁଥିଲେ। ମୁମ୍ବାଇ କ୍ରାଇମବ୍ରାଞ୍ଚ ସୂତ୍ର ଅନୁଯାୟୀ, ରହଣି ସମୟରେ ବିଲାଲ୍‌ ୨୧ଟି ମେଲ୍‌ ଆଇଡି ତିଆରି ଖୋଲିଥିଲେ। ତାହାକୁ ସେ ବିଭିନ୍ନ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ବ୍ୟବହାର କରୁଥିଲେ। କାରଣ ସେ ସୋସିଆଲ୍‌ ମିଡିଆରୁ ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ। ପଚରାଉଚରା ସମୟରେ, ବିଲାଲ ସ୍ୱୀକାର କରିଥିଲେ ଯେ ସେ ଗତ ବର୍ଷ ମଧ୍ୟ କ୍ୟାମ୍ପସରେ ଗୋଟିଏ ମାସ ରହିଥିଲେ, କିନ୍ତୁ କେହି ତାଙ୍କୁ ଜାଣିପାରିନଥିଲେ।
କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତଦନ୍ତ ପାଇଁ ବିଲାଲଙ୍କ ଫୋନ୍ ଜବତ କରିଥିଲେ, କିନ୍ତୁ ସେମାନେ ଜାଣିପାରିଲେ ଯେ ସେ ବହୁତ ତଥ୍ୟ ଡିଲିଟ୍ କରିଦେଇଥିଲେ। ଅଧିକାରୀମାନେ ଏକ ସାଇବର ଲ୍ୟାବ୍ ସାହାଯ୍ୟରେ ଏହାକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ବିଲାଲ କ୍ୟାମ୍ପସର ଭିଡିଓ ମଧ୍ୟ ତିଆରି କରିଛନ୍ତି, କିନ୍ତୁ ସେ ସେଗୁଡ଼ିକୁ କାହାକୁ ପଠାଇ ନଥିଲେ।

Leave A Reply

Your email address will not be published.