ବାଦଲଫଟା ବର୍ଷାରେ ଭାସିଗଲା ବ୍ୟାଙ୍କ ଲକର

add-all

ମଣ୍ଡି: ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ବାଦଲ ଫଟା ବର୍ଷା ହେତୁ ପ୍ରବଳ କ୍ଷୟକ୍ଷତି ହୋଇଛି। ଏହାର ସର୍ବାଧିକ ପ୍ରଭାବ ମଣ୍ଡିରେ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିରେ ଏଯାବତ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୫ଜଣ ଆହତ ହୋଇଛନ୍ତି।
ବନ୍ୟା ଜଳରେ ୩୭ ଜଣ କେଉଁଆଡେ ନିଖୋଜ ହୋଇଛନ୍ତି। ଏପରି ପରିସ୍ଥିତିରେ ଏନଡିଆରଏଫ ଦଳ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରଖିଛି।
ମଣ୍ଡିରେ ଘଟିଥିବା କ୍ଷୟକ୍ଷତିର ପ୍ରଭାବ ଥୁନାଙ୍ଗ ସହରରେ ମଧ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ଏକମାତ୍ର ହିମାଚଳ ସମବାୟ ବ୍ୟାଙ୍କର ପ୍ରଥମ ମହଲା ବନ୍ୟା ଜଳରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି କୋଠା ଭିତରେ କୋଟି କୋଟି ଟଙ୍କା ଓ ଅଳଙ୍କାର କେଉଁ ଅବସ୍ଥାରେ ଅଛି ତାହା ଜଣାପଡ଼ି ପାରୁନାହିଁ।
ନାମ ଗୋପନ ରଖି ଜଣେ ବ୍ୟାଙ୍କ କର୍ମଚାରୀ କହିଛନ୍ତି, ‘ବ୍ୟାଙ୍କ ଭିତରେ କେତେ ଟଙ୍କା ଥିଲା ତାହାର ପରିମାଣ ଆକଳନ କରିବା କଷ୍ଟକର କିନ୍ତୁ ଲକରର କ୍ଷତିର ପରିମାଣ ଧ୍ବଂସାବଶେଷକୁ ହଟାଇବା ପରେ ହିଁ ଜଣାପଡିବ।
କିଛି ସ୍ଥାନୀୟ ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଥିବା ବ୍ୟାଙ୍କ ଲକରକୁ ଜଗି ରହିଛନ୍ତି। କାରଣ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଚୋର ମଧ୍ୟ ସକ୍ରିୟ ହୋଇଛନ୍ତି ଯେଉଁମାନେ ପାଣିରେ ଭାସି ଯାଉଥିବା ଲୋକଙ୍କ ମୂଲ୍ୟବାନ ଜିନିଷପତ୍ରକୁ ଚୋରି କରି ନେଉଛନ୍ତି।

ad-week
Leave A Reply

Your email address will not be published.