ପ୍ୟାକିଂ ସମ୍ପୂର୍ଣ୍ଣ ସମାପ୍ତ, ସରକାରୀ ବାସଭବନ ଛାଡିବା ନେଇ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡଙ୍କ ସ୍ପଷ୍ଟିକରଣ

youtube

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଶାସନ ଚାହିଁଛନ୍ତି ଯେ ପୂର୍ବତନ ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ ତୁରନ୍ତ ସରକାରୀ ବାସଭବନ ଖାଲି କରନ୍ତୁ । ସେ ଏବେ ବି କ୍ରିଷ୍ଣା ମେନନ ମାର୍ଗରେ ଥିବା ସରକାରୀ ବାସଭବନରେ ରହୁଛନ୍ତି । ସେହି ବାସଭବନ ବର୍ତ୍ତମାନର ସିଜେଆଇଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ଜଷ୍ଟିସ୍‍ ଚନ୍ଦ୍ରଚୂଡଙ୍କୁ ଖାଲି କରିବାକୁ କୁହାଯାଇଛି । ଜଷ୍ଟିସ୍‍ ଚନ୍ଦ୍ରଚୂଡ କହିଛନ୍ତି ଯେ ଜଷ୍ଟିସ୍‍ ସଞ୍ଜିବ ଖାନ୍ନା ତାଙ୍କୁ ଏପ୍ରିଲ ପର୍ଯ୍ୟନ୍ତ ରହିବାକୁ ଅନୁମତି ଦେଇଥିଲେ । ତାଙ୍କ ଝିଅର ବିଶେଷ ଆବଶ୍ୟକତା ଯୋଗୁଁ ସେ ଜୁନ୍‍ ପର୍ଯ୍ୟନ୍ତ ରହିବାକୁ କହିଥିଲେ । ଏହାପରେ ସେ ତାଙ୍କୁ ଭଡାରେ ଏକ ଘର ଦେବାକୁ ସରକାରଙ୍କୁ ମଧ୍ୟ ଅନୁରୋଧ କରିଥିଲେ ।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ପ୍ରଶାସନ ଚାହୁଁଛି ଯେ ସରକାର ବିଳମ୍ବ ନକରି ଯଥାଶୀଘ୍ର ଏହି ଘର ଖାଲି କରନ୍ତୁ । ଏହି ମାମଲାରେ ଅନେକ ପ୍ରଶ୍ନ ଉଠିଛି, ଯେପରିକି ଜଷ୍ଟିସ୍‍ ଚନ୍ଦ୍ରଚୂଡଙ୍କୁ ନିୟମ ବିରୋଧରେ ସରକାରୀ ବାସଭବନରେ ରହିବାକୁ ଅନୁମତି ଦିଆଯାଇଥିଲା କି? ସରକାର କ’ଣ ତାଙ୍କ ପାଇଁ ନିୟମ କୋହଳ କରିଥିଲେ କି? ଏବଂ ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ପାଇଁ ଏତେ ଦିନ ପର୍ଯ୍ୟନ୍ତ ସରକାରୀ ବାସଭବନରେ ରହିବା କଣ ଉପଯୁକ୍ତ?
ସେପଟେ ପୂର୍ବତନ ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ ସଫେଇ ଦେଇ କହିଛନ୍ତି ଯେ ମୋ ପାଖରେ ଥିବା ସରକାରୀ ଘରଟିର ବହୁତ ମରାମତି ଆବଶ୍ୟକ । ଏହା ସମ୍ପୂର୍ଣ୍ଣ ହେବା ପାଇଁ ଆମେ ଅପେକ୍ଷା କରିଛୁ । ଘରଟି ପ୍ରସ୍ତୁତ ହେବା ମାତ୍ରେ, ଆମେ ତୁରନ୍ତ ସେଠାକୁ ସ୍ଥାନାନ୍ତରିତ ହେବୁ । ଆମର ପ୍ୟାକିଂ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଘରଟି ପ୍ରସ୍ତୁତ ହେବା ମାତ୍ରେ ପରଦିନ ସେଠାରେ ରହିବୁ । ସୁପ୍ରିମକୋର୍ଟ ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟକୁ ସିଜେଆଇଙ୍କ ସରକାରୀ ବାସଭବନକୁ ଖାଲି କରିବାକୁ ଚିଠି ଲେଖିଥିଲା ।

Leave A Reply

Your email address will not be published.