ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପିଲା ଫେଲ୍‌ ହେଲେ ପୁଣି ମିଳିବ ପରୀକ୍ଷା ସୁଯୋଗ

youtube

ଭୁବନେଶ୍ବର: ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ରୁ ବହିଷ୍କାର କରାଯାଇ ପାରିବନି । ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସଂଶୋଧନ ଆଣି ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି ।
ନୂତନ ନିୟମ ଅନୁସାରେ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପୁଣି ପରୀକ୍ଷା ଦେବାର ସୁଯୋଗ ମିଳିବ। ୨ ମାସ ମଧ୍ୟରେ ପୁନଃ ପରୀକ୍ଷା ପାଇଁ ସୁଯୋଗ ଦେବେ ସ୍କୁଲ କର୍ତ୍ତୃପକ୍ଷ । ଯଦି ପାସ୍‌ କଲେ ଉତ୍ତୀର୍ଣ୍ଣ, ଫେଲ୍‌ ହେଲେ ଉକ୍ତ ଶ୍ରେଣୀରେ ହିଁ ପଢ଼ିବେ ।

ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସକ୍ଷମ କରିବାକୁ ଚେଷ୍ଟା କରାଯିବ । ପରବର୍ତ୍ତୀ ଶ୍ରେଣୀକୁ ଯିବା ପୂର୍ବରୁ ଛାତ୍ରଟିଏ ଯେପରି ତାହାର ମୌଳିକ ଶିକ୍ଷାସ୍ତର ହାସିଲ୍ କରିପାରିବ ସେ ନେଇ ପ୍ରୟାସ କରାଯାଇଛି ।

ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏବେ ବାର୍ଷିକ ପରୀକ୍ଷା ଦେବାକୁ ପଡ଼ିବ । ଯଦି କୌଣସି ପିଲା ଏହି ପରୀକ୍ଷାରେ ବିଫଳ ହୁଏ, ତେବେ ଫଳାଫଳ ଘୋଷଣାର ଦୁଇ ମାସ ମଧ୍ୟରେ ପୁନଃପରୀକ୍ଷା ପାଇଁ ସୁଯୋଗ ପ୍ରଦାନ କରାଯିବ । ପୁନଃପରୀକ୍ଷା ପରେ ମଧ୍ୟ ଆବଶ୍ୟକୀୟ ପଦୋନ୍ନତି ମାନଦଣ୍ଡ ପୂରଣ କରିବାରେ ବିଫଳ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ସମାନ ଶ୍ରେଣୀରେ ରଖାଯାଇପାରିବ । ସଂଶୋଧନ ମାଧ୍ୟମରେ ସ୍ପଷ୍ଟ କରାଯାଇଛି ଯେ ପ୍ରାଥମିକ ଶିକ୍ଷା ସମାପ୍ତ ନହେବା ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯିବ ନାହିଁ ।

ଏହି ସଂଶୋଧନ ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ ର ଧାରା ୩୮ ସହିତ ସମନ୍ୱିତ । ଏହା ଓଡ଼ିଶା ଗେଜେଟରେ ପ୍ରକାଶିତ ହେବା ପରେ କାର୍ଯ୍ୟକାରୀ ହେବ ।

Leave A Reply

Your email address will not be published.