ଅନାସ୍ଥା ପ୍ରସ୍ତାବ ବିରୋଧୀଙ୍କ ପାଇଁ ବୁମେରାଂ ହେବ: ମନ୍ତ୍ରୀ ସୁରେଶ ପୂଜାରୀ

youtube

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧକୁ ପ୍ରସଙ୍ଗ କରି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବ ଆହ୍ୱାନକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଶକ୍ତ ଜବାବ ଦେଇ ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀଙ୍କ ଏହି ଅନାସ୍ଥା ପ୍ରସ୍ତାବ ସରକାରଙ୍କୁ ଆହତ କରିବ ନାହିଁ, ବରଂ ଏହା ସେମାନଙ୍କ ପାଇଁ ଏକ ବୁମେରାଂ ସାବ୍ୟସ୍ତ ହେବ, ଯେଉଁଥିରେ ବିରୋଧୀ ଦଳ ହିଁ କ୍ଷତାକ୍ତ ହେବେ।
ମନ୍ତ୍ରୀ ପୂଜାରୀ କହିଛନ୍ତି, “ଗଣତନ୍ତ୍ରରେ ବିରୋଧୀଙ୍କର ଅନାସ୍ଥା ପ୍ରସ୍ତାବ ଆଣିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। କିନ୍ତୁ ସେମାନେ ବିଧାନସଭାକୁ ଆସିବା ପୂର୍ବରୁ ଟିକେ ହୋମୱାର୍କ କରିକି ଆସନ୍ତୁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ଦୀର୍ଘ ୪୦ ବର୍ଷ ଧରି ଶାସନରେ ଥିଲେ, ସେମାନେ ନିଜ ଶାସନକାଳର ହିସାବ ଧରି ଆସନ୍ତୁ। ଆମେ ଆମର ଗୋଟିଏ ବର୍ଷର ଶାସନର ହିସାବ ଦେବାକୁ ପ୍ରସ୍ତୁତ ଅଛୁ। ଲୋକମାନେ ତୁଳନା କରିବେ ଯେ ସେମାନେ ଏତେ ଲମ୍ବା ସମୟରେ କ’ଣ କରିଥିଲେ ଏବଂ ଆମେ ବର୍ଷକରେ କ’ଣ କଲୁ।
ଉଲ୍ଲେଖଯୋଗ୍ୟ ଯେ, ବୁଧବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଭକ୍ତ ଚରଣ ଦାସ ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ଅପରାଧ ଏବଂ ଅତ୍ୟାଚାରକୁ ନେଇ ବିଜେପି ସରକାରଙ୍କୁ ଘେରିଥିଲେ। ସେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (BJD)କୁ ଆହ୍ୱାନ ଦେଇ କହିଥିଲେ ଯେ ଯଦି ବିଜେଡି ପ୍ରକୃତରେ ମହିଳା ନ୍ୟାୟ ପାଇଁ ଚିନ୍ତିତ, ତେବେ ସେ ବିଧାନସଭାରେ ବିଜେପି ସରକାର ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣୁ ଏବଂ କଂଗ୍ରେସ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିବ। ଯଦି ବିଜେଡି ଏହା ନ କରେ, ତେବେ କଂଗ୍ରେସ ନିଜେ ଏହି ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ଅଛି ଏବଂ ବିଜେଡି ଏହାକୁ ସମର୍ଥନ କରୁ ବୋଲି ଶ୍ରୀ ଦାସ କହିଥିଲେ।
କଂଗ୍ରେସର ଏହି ଆହ୍ୱାନ ପରେ ବିଜେଡି ପକ୍ଷରୁ ସତର୍କ ପ୍ରତିକ୍ରିୟା ଆସିଛି। ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ବିଧାନସଭା ଅଧିବେଶନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଆସିବା ପରେ ଦଳର ବିଧାୟକ ଦଳ ବୈଠକରେ ଏନେଇ ଆଲୋଚନା କରାଯିବ ଏବଂ ଦଳର ସଭାପତି ନବୀନ ପଟ୍ଟନାୟକ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ଅନ୍ୟପଟେ, ବିଜେପି ଏହି ଅନାସ୍ଥା ପ୍ରସ୍ତାବକୁ ହାଲୁକା ଭାବେ ନେଇଛି। ୧୪୭ ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ବିଜେପି ପାଖରେ ୮୧ଟି ଆସନ (୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ସହ) ଥିବାରୁ ସରକାରଙ୍କ ପାଖରେ ସ୍ପଷ୍ଟ ବହୁମତ ରହିଛି। ତେଣୁ ଏହି ଅନାସ୍ଥା ପ୍ରସ୍ତାବ ସାଙ୍କେତିକ ହୋଇପାରେ, କିନ୍ତୁ ଏହାଦ୍ୱାରା ସରକାରଙ୍କ ଉପରେ କୌଣସି ବିପଦ ନାହିଁ ବୋଲି ମନ୍ତ୍ରୀ ପୂଜାରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ପଦକ୍ଷେପକୁ ସେ ବିରୋଧୀଙ୍କର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।

Leave A Reply

Your email address will not be published.