ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ଦିର ପ୍ରଶାସନକୁ ସମ୍ପୂର୍ଣ୍ଣ ସ୍ୱାଧୀନତା – ଆଇନ ମନ୍ତ୍ରୀ

youtube

ପୁରୀ/ଭୁବନେଶ୍ୱର: ଶ୍ରୀମନ୍ଦିରର ସୁରକ୍ଷା ଏବଂ ପବିତ୍ରତାକୁ ନେଇ ବାରମ୍ବାର ଉଠୁଥିବା ପ୍ରଶ୍ନବାଚୀ ମଧ୍ୟରେ ରାଜ୍ୟ ସରକାର ଦୃଢ଼ ମନୋଭାବ ପୋଷଣ କରିଛନ୍ତି। ବିଶେଷକରି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ୱାରା ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା, ମହାପ୍ରସାଦ ଅନଲାଇନରେ ବିକ୍ରି ହେବା ଏବଂ ଚଷମାରେ ହିଡେନ୍ କ୍ୟାମେରା ଲଗାଇ ଜଣେ ଯୁବକ ମନ୍ଦିର ଭିତରକୁ ପ୍ରବେଶ କରିବା ଭଳି ସମ୍ବେଦନଶୀଳ ଘଟଣାଗୁଡ଼ିକ ଉପରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଙ୍ଗଳବାର ଦିନ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି ଯେ ଏହି ସମସ୍ତ ଘଟଣାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଇଛି। ସେ କହିଛନ୍ତି, “ଯେତେ କଠୋର ପଦକ୍ଷେପ ଆବଶ୍ୟକ, ମନ୍ଦିର ପ୍ରଶାସନ ନେଇପାରିବେ। ସେଥିପାଇଁ ସରକାରଙ୍କ ତରଫରୁ ସେମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ଏହାସହ ଶ୍ରୀମନ୍ଦିରର ନୀତିକାନ୍ତିରେ ହେଉଥିବା ବିଳମ୍ବ ଉପରେ ମଧ୍ୟ ମନ୍ଦିର ପ୍ରଶାସନ ତର୍ଜମା କରୁଛି ଏବଂ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ହିଡେନ୍ କ୍ୟାମେରା ଘଟଣା ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ
ସୋମବାର ଦିନ ପୁରୀ ଗଜପତି ନଗରର ଅଭିଷିତ କର ନାମକ ଜଣେ ଯୁବକ ନିଜ ଚଷମାରେ ଗୁପ୍ତ କ୍ୟାମେରା ଖଞ୍ଜି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ବେହରଣ ଦ୍ୱାର ନିକଟରେ ତାଙ୍କର ଗତିବିଧି ସନ୍ଦେହଜନକ ହେବାରୁ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରିଥିଲେ। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ସେ ଚଷମାରେ ଲାଗିଥିବା କ୍ୟାମେରା ମାଧ୍ୟମରେ ଫଟୋ ଓ ଭିଡିଓ ଉତ୍ତୋଳନ କରି ନିଜ ମୋବାଇଲକୁ ପଠାଉଥିଲେ। ଏହି ଘଟଣା ପରେ ତାଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।
ଏହି ଘଟଣା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶ୍ରୀମନ୍ଦିର ଭଳି ଏକ ଅତି ସୁରକ୍ଷିତ ସ୍ଥାନକୁ କିପରି ଜଣେ ଯୁବକ ଗୁପ୍ତ କ୍ୟାମେରା ନେଇ ପ୍ରବେଶ କରିପାରିଲେ, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏଏସଆଇର ବିବାଦୀୟ ପୋଷ୍ଟ
ଅନ୍ୟପଟେ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ନିଜ ସୋସିଆଲ ମିଡିଆ ପେଜରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର କିଛି ଫଟୋ ପୋଷ୍ଟ କରିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର ଭିତରେ ଫଟୋଗ୍ରାଫି ନିଷେଧ ଥିବାବେଳେ ଏକ ସରକାରୀ ସଂସ୍ଥା ଦ୍ୱାରା ଏପରି ନିୟମ ଉଲ୍ଲଂଘନକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଥିଲେ। ବିବାଦ ବଢ଼ିବା ପରେ ଏଏସଆଇ ବିଳମ୍ବିତ ରାତିରେ ସେହି ଫଟୋଗୁଡ଼ିକୁ ଡିଲିଟ୍ କରିଦେଇଥିଲା।
ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ଦାବି ହେଉଛି। ଆଇନ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.