
କଟକ: ଶିଶୁଭବନ ଡାକ୍ତରୀ ଟିମ୍ ବିରଳ ସଫଳତା ହାସଲ କରିଛନ୍ତି । ବିନା କୌଣସି ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ବ୍ୟବହାର କରି ବିନା କୌଣସି ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ବ୍ୟବହାର କରି ଶିଶୁଭବନ ଡାକ୍ତରୀ ଟିମ୍ ଏକ ଶିଶୁର ଶ୍ବାସନଳୀରୁ କଳଙ୍କି ଲଗା ଏକ ଦେଢ଼ ଇଞ୍ଚ ଲମ୍ବା କଣ୍ଟାକୁ କାଢିଛନ୍ତି ।
ଶିଶୁଟି ଏବେ ସୁସ୍ଥ ଥିବା ବେଳେ ଜୀବନ ପ୍ରତି କୌଣସି ବିପଦ ନ ଥିବା ଡାକ୍ତରୀ ଟିମ୍ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଯାଜପୁରଜିଲ୍ଲା କାଳିଆପାଣି ଥାନା ଗିରିଙ୍ଗାମାଳିର ଦୁର୍ଗା ପୂର୍ତ୍ତୀଙ୍କ ୬ ବର୍ଷର ପୁଅ ବିନୁ ଖେଳୁଥିବା ବେଳେ କଳଙ୍କି ଲଗା କଣ୍ଟାକୁ ଢୋକି ଦେବାରୁ ତାହା ଶ୍ବାସନଳୀରେ ଅଟକି ଯାଇଥିଲା । ଗତ ୨୩ ତାରିଖରେ ଏହି ଘଟଣା ଘଟିଥିଲା । ଶ୍ବାସକ୍ରିୟାରେ ଯନ୍ତ୍ରଣା ହେବାରୁ ଶିଶୁଟିକୁ ତାର ପରିବାର ଲୋକେ ପ୍ରଥମେ ସୁକିନ୍ଦାରେ ଥିବା ଏକ ସରକାରୀ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସି ନ ଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ୍ସ-ରେ କରିବା ସମୟରେ ଶ୍ବାସନଳୀରେ ଏକ କଣ୍ଟା ଥିବା ଜଣାପଡ଼ିଥିଲା ।
ଏହାପରେ ବିନୁକୁ ଗତ ୨୪ ତାରିଖରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ବଡ଼ଡାକ୍ତରଖାନା ବି ଶିଶୁର ଶ୍ବାସନଳୀରୁ କଣ୍ଟା କାଢ଼ିବାରେ ନିଜର ଅସହାୟତା ପ୍ରକାଶ କରିଥିଲା । ସେଦିନ ଦିନ ପ୍ରାୟ ୧୨ଟା ବେଳେ ବିନୁକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା । ୨୫ ତାରିଖରେ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ରଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ଗଠନ ହୋଇଥିଲା ।
ବ୍ରୋଙ୍କୋସ୍କୋପି ମାଧ୍ୟମରେ ପାଖାପାଖି ଏକ ଘଣ୍ଟା ଉଦ୍ୟମ ପରେ ଶ୍ବାସନଳୀରୁ ଏହି କଣ୍ଟା କଢ଼ାଯାଇଥିଲା । ବିନା କୌଣସି ଅସ୍ତ୍ରୋପଚାରରେ ଏହି ଯନ୍ତ୍ର ବ୍ୟବହାର କରି ଡାକ୍ତରୀ ଟିମ୍ କଣ୍ଟା କାଢ଼ିଥିଲେ । ଦେଢ଼ ଇଞ୍ଚ ଲମ୍ବ ଏହି କଣ୍ଟା ଡାକ୍ତରୀ ଟିମ୍କୁ ଚକିତ କରିଥିଲା । ଏବେ ବିନୁ ସୁସ୍ଥ ଥିବା ସୂଚନା ମିଳିଛି ।